କୁକୁର ଆକ୍ରମଣରେ ହରିଣ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହରାପଡା ସେକ୍ସନ ମାଛଗଡ଼ ଗ୍ରାମ ବିରଳ ସାହିରୁ ଉଦ୍ଧାର ହୋଇଥିବା ଆହତ ହରିଣର ଆଜି ମୃତ୍ୟୁ ଘଟିଛି। ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ଯୋଗୁଁ ବନ୍ୟ ଜନ୍ତୁ ଗାଁ’ମୁହାଁ ହେଉଛନ୍ତି। ସୂଚନା ଅନୁଯାୟୀ ଗତକାଲି ଏକ ହରିଣ କୁକୁର ଆକ୍ରମଣରେ ଆହତ ହୋଇ ଗ୍ରାମର ୱାର୍ଡ ମେମ୍ବରଙ୍କ ଘରକୁ ପଶି ଆସିଥିଲା। ହରିଣର ଶରୀରରେ କ୍ଷତ ଚିହ୍ନ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଆହତ ହରିଣକୁ ପ୍ରାଥମିକ ଚିକିତ୍ସା କରି ବନ କାର୍ଯ୍ୟାଳୟକୁ ଆଣିଥିଲେ। କିଛି ସମୟ ପରେ ହରିଣର ମୃତ୍ୟୁ ଘଟିଥିଲା। ମୃତ ହରିଣର ଶବ ବ୍ୟବଛେଦ ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତାଯିବ ବୋଲି ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ଜଙ୍ଗଲରେ ନିଅଁ ଲାଗିଥିବା ଯୋଗୁଁ ଗାଁ’ ମୁହାଁ ହେଉଥିବା ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଆହତ ହରିଣକୁ ରାତିସାରା ବନ ବିଭାଗ ଗାଡ଼ିରେ ରଖାଯାଇଥିବାରୁ ବନବିଭାଗର ଅବହେଳା ଯୋଗୁଁ ହରିଣଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସେପଟେ ମାଛଗଛ ଓ ଦାମାହୁଦା ଅଞ୍ଚଳରେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଶିକାର ବଢ଼ିବାରେ ଲାଗିଛି। ଲୋକେ ବନ୍ୟଜନ୍ତୁ ମାରି ଖାଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଏଥିପ୍ରତି ବନବିଭାଗ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିରଳ ପଶୁପକ୍ଷୀ ଲୋପ ପାଇଯିବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।