କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ

ପାଟଣା,ଏନ୍ଏନ୍ଏସ୍: ଦିଲ୍ଲୀରେ କୃଷକମାନଙ୍କର ଆନ୍ଦୋଳନକୁ ସମର୍ଥନ କରି ଆଜି ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଏଥିରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥକୁ ବୈତରଣୀ ପୋଲ ନିକଟରେ ଅବରୋଧ କରିଛନ୍ତି। ସେହିପରି ୪୯ ନମ୍ବର ଜାତୀୟ ରାଜପଥ ଏଚପି ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ଅନ୍ୟପଟେ ଭାରତ ବନ୍ଦ ଯୋଗୁଁ ପାଟଣା ବଜାର ଉପରେ ଥିବା ଦୋକାନ ବଜାର ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ପାଟଣା ବ୍ଲକ୍ ସଂଯୋଜକ ରାଜବଲ୍ଲଭ ମିଶ୍ର, ଉପଦେଷ୍ଟା ଗୌତମ ମହାନ୍ତ, ଜିଲ୍ଲା ସହସଂଯୋଜକ ଖଗେଶ୍ୱର ମହାନ୍ତ, କୃଷକ ନେତା ଲୋକନାଥ ମିଶ୍ର, ଭାବଗ୍ରାହୀ ମହାନ୍ତ, କର୍ଣ୍ଣ କୁମାର ମହାନ୍ତ, ବିରେନ୍ଦ୍ର ମହାନ୍ତ, ପ୍ରିୟରଞ୍ଜନ ମହାନ୍ତ ପ୍ରମୁଖ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସେହିପରି ତୁରୁମୁଙ୍ଗା ଠାରେ ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ, ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦୁଝର ଜିଲ୍ଲା ସଭାପତି ବିଳାସିନୀ ମହାନ୍ତ, ମାନସ ସାହୁ, ବ୍ରଜ ନାଏକ, ମାନସ ନାଏକ, ବାଡ଼ିଆ ସାହୁ ପ୍ରମୁଖ ଉପସ୍ଥିତ ରହି ୪୯ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଜାତୀୟ ରାଜପଥରେ ଶହ ଶହ ଗାଡି ମୋଟର ଅଟକି ରହିଛି।