ଦାଦାବଟି ନ ଦେବାରୁ ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଜିଲ୍ଲାଫଟୋ By Nitidin On May 12, 2020 Share ଦବଗଡ଼,ଏନ୍ଏନ୍ଏସ୍ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣୀ ଗ୍ରାମ ଠାରେ ଗେଲ ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପଲାଇନ ବିଛା ଯାଉଥିବା କାମରେ ନିୟୋଜିତ କର୍ମଚାରୀଙ୍କ ଠାରୁ ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଆଜି ଗେଲ ଇଣ୍ଡିଆ ପକ୍ଷରୁ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ମାତ୍ର ପୁଲିସ ପକ୍ଷରୁ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେବା ପରିବର୍ତେ ଉକ୍ତ ଗ୍ରାମର କେତେକ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କ ସହ କୁଣ୍ଢେଇଗୋଳା ଥାନା କର୍ତୃପକ୍ଷ ସଲାସୁତୁରା କରୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣୀ ଗ୍ରାମ ଠାରେ ଗେଲ ଇଣ୍ଡିଆ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପଲାଇନ ବିଛା ଯାଉଥିବା ବେଳେ ଉକ୍ତ ଗ୍ରାମର କେତେକ ବ୍ୟକ୍ତି ଠିକା ସଂସ୍ଥା ଠାରୁ ବେଆଇନ ଭାବେ ୧୦ ଲକ୍ଷ ଟଙ୍କା ବଟି ଦାବୀ କରିବା ସହ ପ୍ରତ୍ୟେକ ମାସରେ ୧ ଲକ୍ଷ ଟଙ୍କା ଦାବୀ କରିଥିଲେ । ମାତ୍ର କଂପାନୀ ପକ୍ଷରୁ ଉକ୍ତ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ଅକ୍ଷମତା ପ୍ରକାଶ କରିବାରୁ ଟଙ୍କା ନ ଦେଲେ ପ୍ରକଳ୍ପ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସେମାନେ ଜିଦ ଧରିଥିଲେ । ଆଜି ପୂର୍ବାହ୍ନରେ ଠିକା କଂପାନୀ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଉଥିବା ବେଳେ ସେହି ଗ୍ରାମର ତନୁ ପ୍ରଧାନ ,କାଳିଆ ପ୍ରଧାନ ,କୁବେର ପାତ୍ର ଓ ଗଗନ ପାତ୍ର ପ୍ରମୁଖ ସେଠାରେ ପହଚିଂ କଂପାନୀ ସୁପରଭାଇଜର ବିବେକା ନନ୍ଦ ସାହୁ ଓ ତାଙ୍କ ସହକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । ସେହିପରି ଉକ୍ତ କାର୍ଯ୍ୟରେ ବ୍ୟବହୃତ ଏକ୍ସାଭେଟର ଓ ହାଇଡ୍ରା ମ୍ୟାସିନକୁ ନିଜ କବଜାକୁ ନେଇ ବିବେକା ନନ୍ଦ ଓ ତାଙ୍କ ଅନ୍ୟ ସହକର୍ମୀଙ୍କୁ ମାଡ ମାରିବା ସହ ଗୁପ୍ତାଙ୍ଗରେ ଆଘାତ ଦେଇ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ସେହିପରି ଉକ୍ତ ଠିକା ସଂସ୍ଥାର ୨ ଜଣ ସୁପର ଭାଇଜରଙ୍କୁ ଉପରୋକ୍ତ ଅଭିଯୁକ୍ତମାନେ ବନ୍ଦୀ କରି ରଖିବା ସହ ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ସେମାନଙ୍କୁ ହାଣି ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ଅଂଚଳରେ ଶେଷ ହେବାକୁ ବସିଥିବା ବେଳେ ଉକ୍ତ ଗ୍ରାମରେ କେତେକ ତଥା କଥିତ ଗୁଣ୍ଡା ଶ୍ରେଣୀ ଲୋକଙ୍କ ପାଇଁ ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁ ନ ଥିବା ଜଣା ପଡିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣା ସ୍ଥଳକୁ ଯାଇ ଫେରିଆସିଥିବା ବେଳେ ପୁଲିସ ଗାଡି ଦେଖି ବନ୍ଧକ ରଖିଥିବା ୨ ସୁପରଭାଇଜରଙ୍କୁ ଛାଡି ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ଦୌଡି ପଳାଇଥିବା ଜଣା ପଡିଛି । Share