ନୂଆଦିଲ୍ଲୀ: ମହାମାରୀର ରୂପ ନେଇଥିବା କରୋନା ସମଗ୍ର ବିଶ୍ୱରେ ଏବେ ସୁଦ୍ଧା ପାଖାପାଖି ୨ ଲକ୍ଷ ୯୦ ହଜାର ଲୋକଙ୍କ ପ୍ରାଣ ନେଇସାରିଲାଣି। ଏହାସତ୍ତେ୍ୱ ମଧ୍ୟ କୌଣସି ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି। କିନ୍ତୁ ସମଗ୍ର ବିଶ୍ୱବାସୀଙ୍କୁ ଡବ୍ଲ୍ୟୁଏଚଓ ଏବେ ଏକ ଖୁସି ଖବର ଦେଇଛି। ଡବ୍ଲ୍ୟୁଏଚଓର କହିବା ମୁତାବକ, ନିର୍ଦ୍ଧାରିତ ସମୟ ପୂର୍ବରୁ ଭ୍ୟାକ୍ସିନ ପ୍ରସ୍ତୁତ ହେବାର ସଫଳତା ମିଳିପାରେ। ଏହି ସୂଚନା ଡବ୍ଲ୍ୟୁଏଚଓର ନିର୍ଦ୍ଦେଶକ ଜେନେରାଲ ଟେଡରସ ଏଡନାମ ସଂଯୁକ୍ତ ରାଷ୍ଟ୍ରର ଇକୋନମିକ୍ ଏବଂ ସୋସିଆଲ କାଉସେଲିଂକୁ ଦେଇଛନ୍ତି।
ଟେଡରସଙ୍କ କହିବାନୁଯାୟୀ, ଖୁବ୍ ଦ୍ରୁତ ଗତିରେ ଭ୍ୟାକ୍ସିନ ପରୀକ୍ଷଣ ଚାଲିଛି। ସମଗ୍ର ବିଶ୍ୱର ପାଖାପାଖି ୧୦୦ଟି ଟମ୍ ଏହା ଉପରେ କାମ ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭ରୁ ୮ଟି ଟିମ୍ ଭ୍ୟାକ୍ସିନ ପ୍ରସ୍ତୁତିର ନିକଟତର ହୋଇଗଲେଣି। ଦୁନିଆକୁ ଖୁବଶୀଘ୍ର ଏକ ଭଲ ଖବର ମିଳିପାରେ। ସେ ଆହୁରି କହିଛନ୍ତି କି, ଦୁଇମାସ ପୂର୍ବରୁ ଆମେ ଅନୁମାନ କରିଥିଲୁ କି ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୧୨ରୁ ୧୮ ମାସ ସମୟ ଲାଗିପାରେ କିନ୍ତୁ ଏବେ ଲାଗୁଛି ସମୟ ପୂର୍ବରୁ ପ୍ରସ୍ତୁତ ହୋଇଯିବ।