ନଦୀରୁ ଯୁବକର ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ମୁଖ୍ୟାଳୟ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପୋଲରେ ଆଜି ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଜିଟି ଲେନ ପଞ୍ଚମନ୍ଦିର ନିବାସୀ ଶେଷନାଥ ଓଝାଙ୍କ ପୁଅ ବିକାଶ ଓଝା(୨୨)। ମିଳିଥିବା ରିପୋର୍ଟ ମୁତାବକ, ବିକାଶ ସାଙ୍ଗମାନଙ୍କ ସହ ବେଦବ୍ୟାସସ୍ଥିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକ ପ୍ଲାଣ୍ଟ ସାଇଟ ଥାନାରେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଉପର ମୁଣ୍ଡରେ ବନ୍ୟା ଜଳରେ ଭାସିଯାଇ ବିକାଶ ମୃତ୍ୟୁବରଣ କରିଥିଲେ। ମୃତଦେହ କିନ୍ତୁ ବାରକୋଟସ୍ଥିତ ବ୍ରାହ୍ମଣୀ ନଦୀର ପୁରୁଣା ପୋଲରେ ଅଟକି ରହିଥିଲା। ସୂଚନା ପାଇ ବାରକୋଟ ଥାନା ପୁଲିସ ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।