ଏମ୍ସ ନିକଟରେ ରୋଗୀ କଲ୍ୟାଣ ଆଶ୍ରୟସ୍ଥଳ ଉଦ୍‌ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କର୍କଟ ଓ ମୂତ୍ରାଶୟଜନିତ ୱେଲଫେୟାର ଟ୍ରଷ୍ଟ ଆନୁକୁଲ୍ୟରେ ଏବଂ ଦିବ୍ୟଜ୍ୟୋତି ସେବାଶ୍ରମ ସହଯୋଗରେ ଏମ୍ସ ହସ୍ପିଟାଲକୁ ଦୁର ଦୁରାନ୍ତରରୁ ଚିକିତ୍ସା ପାଇଁ ଆସୁଥିବା କର୍କଟ ଏବଂ ମୂତ୍ରାଶୟ ରୋଗୀ ଏବଂ ସେମାନଙ୍କର ସହାୟକ ମାନଙ୍କୁ ବିନା ମୂଲ୍ୟରେ ଏକ ସୁନ୍ଦର ଓ ସୁସ୍ଥ ପରିବେଶର ବାସସ୍ଥାନ ଯୋଗାଇ ଦେବା ପାଇଁ ଜନ୍ମ ନେଇଥିବା ସେବାଗୃହ (ଅସ୍ଥାୟୀ ଆଶ୍ରୟସ୍ଥଳ) ମାନ୍ୟବର ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଭୁବନେଶ୍ବରସ୍ଥ କଲ୍ୟାଣନଗର (ପାତ୍ରପଡ଼ା) ଠାରେ ଉଦ୍‌ଘାଟନ ହୋଇଯାଇଅଛି। ଉକ୍ତ ଉଦ୍‌ଘାଟନ ଉତ୍ସବ ପ୍ରାରମ୍ଭରେ ଶୈଳବାଳା ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ପାଦକ ଶାନ୍ତନୁ କୁମାର ଜେନା ଅନୁଷ୍ଠାନ କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିଥିଲେ।

ଅବସରପ୍ରାପ୍ତ କେନ୍ଦ୍ର ପ୍ରଶାସନିକ ଅଧିକାରୀ, ଦୋଳଗୋବିନ୍ଦ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଦୁସ୍ଥ, ଗରିବ, ନିଃସହାୟ ଓ ରୋଗାଗ୍ରସ୍ତ ଲୋକମାନଙ୍କ ପାଇଁ ଏହି ସେବାଗୃହ ଈଶ୍ବରଙ୍କ ବରଦାନ ସଦୃଶ ହେବ ବୋଲି ଆଶା ପ୍ରକଟ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଷଡ଼ଙ୍ଗୀ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ଏଥିରେ ସମ୍ପୃକ୍ତ ସମାଜସେବୀ ମାନଙ୍କର କାର୍ଯ୍ୟଧାରାକୁ ଉତ୍ସାହିତ କରିବା ସହ ନିସ୍ବ ଏବଂ ନିଃସ୍ୱାର୍ଥପରତା ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ୱାର୍ଡ଼ ନଂ-୬ର କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣୀ, ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି, ସମାଜସେବୀ ନମ୍ରତା ଚଢା ଏବଂ ଏମ୍ସର ଅତିରିକ୍ତ ଅଧ୍ୟକ୍ଷକ ମେଜର ଡ଼ାକ୍ତର ମୁକୁନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନୂତନ ଭାବେ ଗଢି ଉଠିଥିବା ଏହି ଅନୁଷ୍ଠାନ ଦୁଃସ୍ଥ, ଅସହାୟ ରୋଗୀ ଏବଂ ତାଙ୍କର ସହାୟକମାନଙ୍କୁ ସାହାଯ୍ୟ ଓ ସହଯୋଗ ଭଳି ନୂତନ ଚିନ୍ତାଧାରାର ସମାଜସେବା କାର୍ଯ୍ୟ ହାତକୁ ନେଇଥିବାରୁ ଭୁରି ଭୁରି ପ୍ରଶଂସା କରିଥିଲେ।

ସଭାର ପ୍ରାରମ୍ଭରେ ସମାଜସେବୀ ମନୋରଞ୍ଜନ ମହାନ୍ତି ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଅତି ସୁନ୍ଦର ଭାବରେ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସଭା ଶେଷରେ ନିତ୍ୟାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନିରଦ ବରଣ ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ। ଦିବ୍ୟଜ୍ୟୋତି କନ୍ୟାଶ୍ରମର ଅନ୍ତେବାସୀ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ଭାବବିହ୍ବଳ କରିଦେଇଥିଲେ।

ରବୀନ୍ଦ୍ରନାଥ ସାହୁ, ଗିରିଶ ଚନ୍ଦ୍ର ପରିଡ଼ା ଏବଂ ଶିବରାମ ଗୌଡ଼ଙ୍କ ତତ୍ତ୍ଵାବଧାନରେ ସର୍ବଶ୍ରୀ ନିରାକାର ଦାସ, ଚକ୍ରଧର ପରିଡ଼ା, ବିଜୟ କୁମାର କରଣ, ଦୀପକ ସାହୁ, ସନ୍ଦୀପ କୁମାର ଲେଙ୍କା, ରଶ୍ମୀତା ସାହୁ, ତାପସ କୁମାର ମହାନ୍ତି, ପ୍ରସନ୍ନ କୁମାର ଖୁଣ୍ଟିଆ, ଗୌରାଙ୍ଗ ନାୟକ, ସୁଶ୍ରୀ ସସ୍ମିତା ବାରିକ ଓ ଶୁଭଲକ୍ଷ୍ମୀ ଜେନା ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଉଦ୍‌ଘାଟନୀ ଉତ୍ସବ ସୁନ୍ଦର ଭାବରେ ସମାପନ ହୋଇଥିଲା।