ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଟନେଲ ରୋଡ ନିକଟସ୍ଥ ରେଳ ଧାରଣାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଆରପିଏଫ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ବୁଗଦାପଡ଼ାର ବିକାଶ ପାଣ୍ଡେ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ଅପରାହ୍ନ ୧୨ଟାରେ ବିକାଶ ଓ ତା’ର ଜଣେ ସାଙ୍ଗ ବୁଗଦାପଡ଼ା ନିକଟସ୍ଥ ରେଲଲାଇନରେ କେବୁଲ ଚୋରି କରୁଥିବାବେଳେ ଆରପିଏଫ ପୁଲିସ ସେମାନଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିଲା। ଅପରାହ୍ନ ୪ଟାରେ ବିକାଶର ସମ୍ପର୍କୀୟ ମାମୁ ସେମାନଙ୍କର ଜାମିନ କରିଥିଲେ। ଜାମିନ ପାଇବା ପରେ ବିକାଶ ମାମୁ ଘରକୁ ଯିବା ସହ ସେଠାରେ ଝଗଡ଼ା କରି ରାତି ପ୍ରାୟ ୧୦ଟାରେ ପୁଣି ବୁଗଦାପଡା ନିକଟସ୍ଥ ରେଲ ଲାଇନକୁ ଆସିଥିଲା। କିଛି ସମୟ ପରେ ଗୀତାଞ୍ଜଳୀ ଏକ୍ସପ୍ରେସ ଯିବା ସମୟରେ ବିକାଶ ରେଳ ଧାରଣାକୁ ହଠାତ ଡେଇଁ ପଡ଼ିଥିଲା ବୋଲି ଆରପିଏଫ କର୍ତୃପକ୍ଷ କହିଛନ୍ତି। ପରେ ବିକାଶର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆରପିଏଫ ଅଧିକ ତଦନ୍ତ ଆରମ୍ଭ କରିଛି।