ଅନାବିଳ ସ୍ନେହ: ଧୁଡୁ ଫେରିଲା ଘରକୁ

ତେଲକୋଇ,ଏନ୍ଏନ୍ଏସ୍: ପଶୁ ଓ ମଣିଷର ଅନାବିଳ ସ୍ନେହର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ୯ଦିନ ଜଙ୍ଗଲରେ ଭୋକ ଉପାସରେ ରହିବା ପରେ ବାରହାଟି ତା’ର ନିଜର ମଣିଷ ପାଖକୁ ଆଜି ଫେରିଆସିଛି। ୧୮କିଲୋମିଟର ଦୂର ଜଙ୍ଗଲରୁ ଚାଲି ଚାଲି ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା କୁମାରୀ ପେଣ୍ଠେଇଙ୍କ ଘରକୁ ଫେରିଆସିଛି। ସୂଚନାଯୋଗ୍ୟ, କୁନ୍ତଳା ଜଙ୍ଗଲରୁ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଛୋଟ ବାରହାକୁ ଉଦ୍ଧାର କରି ଘରକୁ ଆଣି ପାଳିଥିଲେ । ତା’ର ନାମ ଧୁଡ଼ୁ ରଖିଥିଲେ। ୨ବର୍ଷ ସେ ଘରେ ରହିବା ସହିତ ବଡ଼ ହୋଇଯାଇଥିଲା। ଖବର ପାଇ ବନବିଭାଗ ବାରହାଟିକୁ ଆଣି ତେଲକୋଇ କମଳାଙ୍ଗ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେହିଦିନ ଠାରୁ କୁନ୍ତଳା ନିଜ ସ୍ନେହର ପଶୁ ଧୁଡୁ ପାଇଁ ପାଗଳୀ ହୋଇ ଜଙ୍ଗଲରେ ତାକୁ ଖୋଜିବା ଆରମ୍ଭ କରିଦେଇ ଥିଲେ। ତେବେ ବାରହାଟି ତେଲକୋଇ କମଳାଙ୍ଗ ଜଙ୍ଗଲରୁ ଚାଲି ଚାଲି ୧୮କିମି ଦୂର ପୁରୁଷୋତ୍ତମପୁର ଗ୍ରାମରେ ପହଞ୍ଚି ଯାଇଥିଲା। କୁନ୍ତଳାଙ୍କ ସାଙ୍ଗରେ ତାଙ୍କ ପୁଅ ସସମିତ୍ ପେଣ୍ଠେଇ ଓ ଝିଅ ରାଜଶ୍ରୀ ପେଣ୍ଠେଇ ଧୁଡ଼ୁକୁ ନେଇ ଘରକୁ ପେରିଥିଲେ। ପଶୁଟିକୁ ଦେଖିବା ପାଇଁ ଗ୍ରାମରେ ବହୁ ସଂଖ୍ୟାରେ ଲୋକମାନଙ୍କ ଭିଡ଼ ହେବାରେ ଲାଗିଥିଲା।