ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ଭାଇଜୁଇତିଆ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପାଟଣାଗଡ଼ ଅଞ୍ଚଳ। ଗାଁ ଗାଁରେ ଡାଲଖାଇ ନାଚ ପାଇଁ ସହରଠୁ ଗାଁ’ ପର୍ଯ୍ୟନ୍ତ କୁଆଁରୀ ଝିଅମାନେ ଉତ୍ସାହିତ ହୋଇ ଉଠିଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହି ଡାଲଖାଇ ନାଚ ଦେଖିବାକୁ ମିଳିଥାଏ। ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ଜୀବନର ଗାଥା ଏହି ପ୍ରସିଦ୍ଧ ଗଣପର୍ବ। ଏଥିରେ ବିଶେଷକରି କୁଆଁରୀ ମାନେ ହିଁ ପରିବେଷଣ କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଡାଲଖାଇ ନାଚର ବିଶେଷତ୍ଵ ଲୋପ ପାଇଯାଉଥିବା ଦେଖାଯାଉଛି।
ପାଟଣାଗଡ଼ ଅଞ୍ଚଳରେ ଏହି ପାରମ୍ପାରିକ ନାଚକୁ ବଞ୍ଚାଇ ରଖିଛନ୍ତି। ଆଶ୍ୱିନ ମାସରେ ହିଁ ଜୁଇତିଆ ମାସ, ଏହି ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଉଣୀ ମାନେ ନିଜର ଭାଇଙ୍କ ସୁଖସମୃଦ୍ଧିକାମନା ପାଇଁ ମା’ ଦୁର୍ଗାଙ୍କଠାରେ ପୂଜା କରି ଭାଇ ଜୁଇତିଆ ପାଳନ କରିଥାନ୍ତି। ଏହି ପୂଜା ପୂର୍ବରୁ ଗାଁରେ ଗୋଟିଏ ଜାଗାରେ ଏକାଠି ହୋଇ ସମସ୍ତେ ବାଜା ବଜାଇ ପ୍ରଥମେ ଗ୍ରାମ ଦେବୀଙ୍କ ନିକଟରେ ପୂଜା କରିବା ପରେ ରାସ୍ତା ଉପରେ ଡାଲଖାଇ ନାଚ ପରିବେଶ କରି ଦର୍ଶକ ମାନଙ୍କୁ ମଜା ଦେଇଥାନ୍ତି। ସେହି ବାଟରେ ଯାଉଥିବା ବାଟୋଇ ଓ ଯାନବାହନକୁ ଅଟକାଇ ଟଙ୍କା ଆଦାୟ କରିଥାନ୍ତି। ପରେ ସେମାନେ ସନ୍ଧ୍ୟାରେ ନଦୀକୁ ଯାଇ ଗାଧୋଇ ସାରି ପ୍ରଥମେ ବାଲି ଶଯ୍ୟା କରି ସେଠାରେ ପୂଜା କରିଥାନ୍ତି। ପରେ ଘରକୁ ଫେରି ପୁଣି ଦୁର୍ଗାଙ୍କ ପୀଠରେ ଭାଇଙ୍କ ଦୀର୍ଘାୟୁ କାମନା କରି ପୂଜା କରିଥାନ୍ତି। ଏହି ଡାଲଖାଇ ନାଚ ଦେଖିବାକୁ ସହରର ବହୁ ଜନସାଧାରଣ ଯାଇଥାନ୍ତି।