କୁଣ୍ଢେଇଗୋଳାରୁ ଶୁଭାରମ୍ଭ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଆଜି ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତ ଠାରୁ ଜନ ସମ୍ପର୍କ ପଦ ଯାତ୍ରା ଶୁଭାରମ୍ଭ ହୋଇଛି। ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱ ରେ ସକାଳୁ ଦଳୀୟ ନେତୃ ମଣ୍ଡଳୀ ରିଆମାଳ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଘରକୁ ଯାଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବାସହ ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ। ପୂର୍ବାହ୍ନରେ କୁଣ୍ଢେଇଗୋଳା ପଞ୍ଚାୟତ ମୁଖ୍ୟାଳୟରେ ସମସ୍ତ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଗ୍ରାମାଞ୍ଚଳରେ ହେଉଥିବା ବିକାଶକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇଥିଲେ।

ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିଶ୍ୱାଳଙ୍କ ସମେତ ବ୍ଲକ୍‌ ସଭାପତି ବୈକୁଣ୍ଠ ପାଇକରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ବ୍ଲକ୍‌ ଅଧ୍ୟକ୍ଷ ମଧୁସୁଦନ ପ୍ରଧାନ, ପୌରାଧ୍ୟକ୍ଷ ଶାନ୍ତିମାଞ୍ଜରୀ ଦେଇ, କୃଷକ ସେଲ ଜିଲ୍ଲା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଅରୁଣି ପ୍ରଧାନ, ବ୍ଲକ ମହିଳା ସଭାନେତ୍ରୀ ଜ୍ୟୋତି ମଞ୍ଜରୀ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ,ବ୍ଲକ ଯୁବ ସଭାପତି ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଦେବଗଡ଼ ଜିଲ୍ଲା ଗଠନରେ ପ୍ରବାଦ ପୁରୁଷ ମହା ଜନ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିବା ସହ ଅଦିତ୍ୱୀୟ, ସ୍ୱଚ୍ଛ ଭାବ ମୂର୍ତ୍ତି ସମ୍ପନ୍ନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଦ୍ଵାରା ରାଜ୍ୟର ଚିତ୍ର ସାରା ବିଶ୍ୱ ଦରବାରରେ ପ୍ରଶଂସିତ ହେଉଥିବା ନେଇ ପ୍ରକାଶ କରିବା ସହ ବିଜେଡିକୁ ଅଧିକ ମଜଭୁତ କରିବାକୁ ମଞ୍ଚାସୀନ ନେତୃ ବୃନ୍ଦ ଉପସ୍ଥିତ ଜନ ସାଧାରଣଙ୍କୁ ଆହ୍ୱାନ କରିଥିଲେ।