ସିକନ୍ଦରାବାଦରେ ମହିଳା ଦାଦନ ମୃତ : ଅର୍ଥାଭାବ ଯୋଗୁଁ ଗାଁ’କୁ ଫେରିପାରୁନି ଶବ

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା କୋମନା ଥାନା ଗନିଆରୀ ଗାଁର ଜଣେ ମହିଳା ଦାଦନ ଶ୍ରମିକଙ୍କ ସିକନ୍ଦରାବାଦରେ ମୃତ୍ୟୁ ଘଟିଛି। ହେଲେ ଅର୍ଥାଭାବରୁ ମୃତଦେହ ଗାଁକୁ ଆସି ପାରିନାହିଁ କି ପରିବାର ଲୋକେ ମଧ୍ୟ ସେଠାରୁ ଆସି ପାରୁନାହାନ୍ତି। ମୃତ ମହିଳା ଜଣକ ହେଲେ ବିଲାସିନୀ ବାଗ (୨୪)। ତାଙ୍କର ୧ ବର୍ଷର ଜଣେ ସନ୍ତାନ ମଧ୍ୟ ଅଛି। ତେବେ ତୁରନ୍ତ ବନ୍ଧକ ପରିବାରକୁ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ବିଲାସିନୀଙ୍କ ପରିବାର ଲୋକେ ନିବେଦନ କରିଛନ୍ତି। ଧାରଟଙ୍କା ସୁଝିବା ପାଇଁ ଜଣେ ଦାଦନ ସର୍ଦ୍ଦାରଙ୍କ ଠାରୁ ବିଳାସିନୀଙ୍କ ପରିବାର ଲୋକେ କିଛି ଅଗ୍ରୀମ ଆଣିଥିଲେ।

ଏହାକୁ ସୁଝିବା ପାଇଁ ବିଳାସିନୀ ଓ ବାପା ରବି ବାଗ (୪୫) ସିକନ୍ଦରାବାଦକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ବିଳାସିନୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସିକନ୍ଦରାବାଦ ଗାନ୍ଧୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପରିବାର ଲୋକେ ଉକ୍ତ କାରଖାନାର ମାଲିକଙ୍କୁ ଶବକୁ ଗାଁକୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ମାଲିକ ମୃତଦେହକୁ ଗାଁକୁ ଆଣିବାକୁ ମନା କରିଥିଲେ। ଅପରପକ୍ଷେ ପରିବାର ଲୋକେ ନେଇଥିବା ଅଗ୍ରୀମ ଟଙ୍କା ନଫେରାଇବା ଯାଏଁ ବିଳାସିନୀଙ୍କ ମୃତଦେହ କିମ୍ବା ତାଙ୍କ ସ୍ୱାମୀଙ୍କୁ ଛାଡ଼ିବେ ନାହିଁ ବୋଲି କାରଖାନା ମାଲିକ କହିଛନ୍ତି। ଏବେ ବି ବିଳାସିନୀଙ୍କ ସ୍ୱାମୀଙ୍କୁ କାରଖାନା ମାଲିକ ଜୋରଜବରଦସ୍ତ କାମ କରାଉଛନ୍ତି।

ସେହିପରି ବିଭିନ୍ନ ଆଳ ଦେଖାଇ ଶ୍ରମିକଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏବେ ବନ୍ଧକ ପରିବାରକୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଗୁହାରି କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀଙ୍କୁ ପଚାରିବାରୁ, ଏହି ଖବର ଆମ ପାଖରେ କୌଣସି ଅଭିଯୋଗ ଆସିନାହିଁ। ଆସନ୍ତାକାଲି ଏକ ଟିମ୍ ପଠାଇ ଘଟଣାର ତଦନ୍ତ କରି ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।