୩ ଶହ କୋଟି ଡଲାରର ପ୍ରତିରକ୍ଷା ରାଜିନାମା ଲାଗି ଟ୍ରମ୍ପଙ୍କ ଘୋଷଣା

ଆଗ୍ରା ଯାଇ ତାଜମହଲ ଦେଖିଲେ ଟ୍ରମ୍ପ ପରିବାର

ଅହମ୍ମଦାବାଦ,ଏଜେନ୍ସି: ଆମେରିକା ଭାରତକୁ ୩ ଶହ କୋଟି ଡଲାରର ଯୁଦ୍ଧାସ୍ତ୍ର ଓ ସାମରିକ ସରଞ୍ଜାମ ବିକ୍ରୟ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏଥିନେଇ ଆମେରିକା-ଭାରତ ମଧ୍ୟରେ ମଙ୍ଗଳବାର ରାଜିନାମା ସ୍ୱାକ୍ଷରିତ ହେବ। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସୋମବାର ସପରିବାର ଅହମ୍ମଦାବାଦରେ ପହଞ୍ôଚ ୨୨ କିଲୋମିଟର ରୋଡ୍ ଶୋ’ କରିବା ସହିତ ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ ଭାରତ ସହ ପ୍ରତିରକ୍ଷା ରାଜିନାମା ସମ୍ପର୍କରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଭାରତ-ଆମେରିକା ଦୋସ୍ତିର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ।

ଅହମ୍ମଦାବାଦସ୍ଥିତ ପୃଥିବୀର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, ଭାରତବାସୀ ମୋତେ ଏଠାରେ ଯେଉଁ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ତାହା ସାରାଜୀବନ ଭୁଲିପାରିବି ନାହିଁ। ଭାରତୀୟମାନଙ୍କ ଆତିଥ୍ୟ ମୋତେ ଅଭିଭୂତ କରିଛି। ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର, ବୃହତମ ଅର୍ଥନୀତି ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର। ଭାରତୀୟମାନେ ଶାନ୍ତିପ୍ରିୟ ଓ ଗଣତାନ୍ତ୍ରିକ ମନୋଭାବସମ୍ପନ୍ନ। ଏଣୁ ଭାରତ-ଆମେରିକା ବନ୍ଧୁତ୍ୱ ଦୀର୍ଘଜୀବୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଟ୍ରମ୍ପ ତାଙ୍କ ଅଭିଭାଷଣରେ ଭାରତର ଧର୍ମନିରପେକ୍ଷତା, ବିବିଧତା ମଧ୍ୟରେ ଏକତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଭାରତରେ ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ, ଶିଖ୍, ଇହୁଦୀ ଓ ଅନ୍ୟ ଧର୍ମାବଲମ୍ବୀ ଶାନ୍ତିର ସହ ସହାବସ୍ଥାନ କରୁଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ, ଏଠାରେ ଆଲୋକର ପର୍ବ ଦୀପାବଳି ଓ ରଙ୍ଗର ପର୍ବ ହୋଲି ଏହାର ବିଶେଷତ୍ୱ।

ଏହି ଅବସରରେ ଟ୍ରମ୍ପ ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ତାଙ୍କର ପ୍ରସିଦ୍ଧ ଚିକାଗୋ ବକ୍ତୃତାର ଏକ ଧାଡ଼ି ଉଲ୍ଲେଖ କରିଥିଲେ। ଟ୍ରମ୍ପ ଭାରତୀୟଙ୍କ ମନ ଜିଣିବା ପାଇଁ ବଲିଉଡ୍ ଚଳଚ୍ଚିତ୍ର ଜଗତର ଉତ୍କର୍ଷ ସମ୍ପର୍କରେ ଉଲ୍ଲେଖ କରି ଡିଡିଏଲଜେ ଫିଲ୍ମକୁ ସ୍ମରଣ କରିଥିଲେ। ଭାରତର ପ୍ରସିଦ୍ଧ କ୍ରିକେଟିୟର ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତରେ ସୀମାପାର ଆତଙ୍କବାଦ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ଟ୍ରମ୍ପ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ନାମ ଉଲ୍ଲେଖ କରିଥିଲେ। ସେ କହିଥିଲେ, ସମଗ୍ର ବିଶ୍ୱ ଲାଗି ଇସଲାମିକ୍ ଆତଙ୍କବାଦ ବିପଦର କାରଣ ହୋଇଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଆତଙ୍କବାଦକୁ କଠୋର ହସ୍ତରେ ଦମନ କରାଯିବ।

ଆଇଏସଆଇଏସର ପ୍ରତିଷ୍ଠାତା ତଥା କୁଖ୍ୟାତ ଆତଙ୍କବାଦୀ ବାଗଦାଦିକୁ ଆମେ ମାରିଛୁ ବୋଲି ଟ୍ରମ୍ପ ଦୃଢ଼ତାର ସହ କହିଥିଲେ। କଠୋର ଇସଲାମିକ୍ ଆତଙ୍କବାଦ ବିପଦରୁ ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଭାରତ ଓ ଆମେରିକା ଏକାଠି ମିଶି କାମ କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ସାରିବା ପରେ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନର ପ୍ରମୁଖ ଆଗ୍ରା ଯାଇ ତାଜମହଲ ବୁଲି ଦେଖିଥିଲେ। ସେଠାରୁ ଟ୍ରମ୍ପ ସପରିବାର ନୂଆଦିଲ୍ଲୀରେ ପହଞ୍ôଚଛନ୍ତି।