ମାଣ୍ଡିଆ ମଣ୍ଡି ଉଦଘାଟିତ

ରାୟଗଡା,ଏନ୍ଏନ୍ଏସ୍: ଆଜିଠାରୁ ଜିଲ୍ଲାରେ ଖୋଲିଲା ମଣ୍ଡିଆ ମଣ୍ଡି। ରାୟଗଡା ସ୍ଥିତ ଆରଏମସି ପ୍ରାଙ୍ଗଣରେ ଜିଲ୍ଲାର ମାଣ୍ଡିଆ ମଣ୍ଡିକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଉଦଘାଟନ କରିଛନ୍ତି। ଜିଲ୍ଲାରେ ମିଲଟ ମିଶନ ଦ୍ୱାରା ମାଣ୍ଡିଆ ଚାଷର ଉନ୍ନତି ହୋଇଥିବା ବେଳେ ମଣ୍ଡି ଜରିଆରେ ଏହାର ବଜାରୀକରଣ କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୮ଟି ବ୍ଲକରେ ୧୧ ହଜାର ୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଟିଡିସିସି ଜରିଆରେ ୨୮ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାର ଲକ୍ଷ ଧାର୍ଯ୍ୟ ହୋଇଛି।

ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ବର୍ଷ ବୃଦ୍ଧି କରାଯାଇ ୩,୨୯୫ ଟଙ୍କା ରଖାଯାଇଛି। ଏନେଇ ଚାଷୀ ବହୁତ ଖୁସି ଥିବାବେଳେ ଚାଷୀଙ୍କ ସୁବିଧା ଦୃଷ୍ଟିରୁ ଏବର୍ଷ ଅଧିକ ୩ଟି ମଣ୍ଡି ସହ ମୋଟ ୧୮ଟି ମାଣ୍ଡିଆ ମଣ୍ଡି ଖୋଲାଯାଇଥିବା ଜିଲ୍ଲା କୃଷି ଅଧିକାରୀ ଦୁଃସାଶନ ପ୍ରହରାଜ ପ୍ରକାଶ କରିଛନ୍ତି। ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଥିବା ବେଳେ ଏବେ ଏହା ବ୍ୟବସାୟୀକରଣ ହେବାରୁ ଆର୍ଥିକ ସହାୟତା ଯୋଗାଇଛି। ଫଳରେ ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ମାଣ୍ଡିଆ ଚାଷ।