ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଡ଼ା ଗ୍ରାମରେ ରେଡକ୍ରସ ସୋସାଇଟିର ସଦସ୍ୟଙ୍କ ତରଫରୁ ନୂତନ ରକ୍ତଦାତା ସୃଷ୍ଟି କରିବା ପାଇଁ ଏକ ସାଇକ୍ଲୋଥନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡେଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଇତିଶ୍ରୀ ସାହୁ ଯୋଗ ଦେଇଥିଲେ । ପ୍ରଥମେ ଗ୍ରାମବାସୀଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ତେଣୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ଉଚିତ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ । ରେଡକ୍ରସ କର୍ମୀ ଅରବିନ୍ଦ କୁମ୍ଭାରଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ମୀ ସୁନିଲ ରଣା, କପିଳ ଭୋଇ, ବର୍ଷା ସାହୁ ଓ ସୁନୀତା ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପ୍ରଭାକର ଛନ୍ଦ ଧନ୍ୟବାଦ ଦେଇଥିଲେ ।