ସୃଷ୍ଟି ହେଲା ଅବପାତ: ଗୋପାଳପୁରରୁ ୧,୦୨୦ କିମି ଓ ପାରାଦ୍ୱୀପଠୁ ୧,୦୬୦ କିମି ଦୂରରେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ରହିଥିବା ଲଘୁଚାପ ବଳ ଗୋଟାଇବା ସହ ଗୁରୁବାର ସନ୍ଧ୍ୟାରେ ଅବପାତ ରୂପ ନେଇଛି। ଏହା ଗୋପାଳପୁରଠାରୁ ୧,୦୨୦ କିମି ଓ ପାରାଦ୍ୱୀପଠାରୁ ୧,୦୬୦ କିମି ଦୂରରେ ରହିଛି। ଗୁରୁବାର ବିଳମ୍ବିତ ରାତିରେ ଏହା ଗଭୀର ଅବପାତ ଓ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ଏକ ସାମୁଦ୍ରିକ ଝଡ ରୂପ ନେବ। ସେହି ସମୟରେ ପବନର ବେଗ ୬୦ରୁ ୭୦ କିମି ବେଗରେ ରହିବା ସହ ଝଟକା ପବନ ୮୦ କିମି ବେଗରେ ହୋଇପାରେ। ଶନିବାର ସକାଳ ସୁଦ୍ଧା ଏହା ଆହୁରି ଘନିଭୂତ ହେବ। ଶନିବାର ମଧ୍ୟାହ୍ନ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ। ସେହି ସମୟରେ ପବନର ବେଗ ସମ।ନ୍ୟ ବଢ଼ି ୮୦ରୁ ୯୦ କିମି ଓ ଝଟକା ପବନର ବେଗ ୧୦୦ କିମି ଯାଏ ରହିବ। ୪ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ନିକଟରେ କେନ୍ଦ୍ରୀଭୂତ ହେବ। ପରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗକୁ ନିଜ ଦିଗ ପରିବର୍ତ୍ତନ କରିବା ସହ ପଶ୍ଚିମବଙ୍ଗ ମୁହାଁ ହେବ। ସେହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ଓ ଝଟକା ପବନର ବେଗ ୧୧୦ କିମି ଯାଏ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ଦ୍ୱାରା ଜାରି ସୂଚନା ଅନୁସାରେ ସୃଷ୍ଟ ଅବପାତ ଏବେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପ୍ରଭାବରେ ଆସନ୍ତାକାଲି ମଧ୍ୟରାତ୍ରୀରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ଏହା ମୁଖ୍ୟ ପ୍ରଭାବ ଆସନ୍ତା ୪ ଓ ୫ରେ ରହିବ। ୩ ତାରିଖ ଦିନ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ାରେ ବର୍ଷା ଆରମ୍ଭ ହେବ। ପରେ ୪ ତାରିଖ ଦିନ ବାତ୍ୟା ସ୍ଥଳଭାଗ ମୁହାଁ ହେବା ପରେ ୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ଭାରି ବର୍ଷା ହେବ। ଏନେଇ ଉକ୍ତ ଜିଲ୍ଲାକୁ ରେଡ୍ ଜୋନ୍ ଅନ୍ତଭୁକ୍ତ କରାଯାଇଥିବାବେଳେ ଉକ୍ତ ଜିଲ୍ଲାର ସ୍ଥାନେ ସ୍ଥାନେ ୨୦ ସେଣ୍ଟିମଟରରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇପାରେ ବୋଲି ଆକଳନ କରାଯାଇଛି। ସେହି ୪ ତାରିଖ ଦିନ ୭ ଉପକୂଳ ତଥା ତତ୍‌ସଲଂଗ୍ନ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉକ୍ତ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ବାକି ୪ ଉପକୂଳ ଜିଲ୍ଲା ମାଲକାନାଗିରି, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ୫ ତାରିଖ ସକାଳୁ ଦୁର୍ବଳ ହେବା ସହ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଉକ୍ତ ସମୟରେ ପବନର ବେଗ ୮୦ରୁ ୯୦ କିମି ରହିବାକୁ ଥିବାବେଳେ ସମୟ ସମୟରେ ଝଟକା ପବନ ୧୦୦ କିମି ଯାଏ ରହିପାରେ। ୫ ତାରିଖ ଦିନ ଉତ୍ତର ଉପକୂଳ ତଥା ଆଭ୍ୟନ୍ତରୀଣର କିଛି ଜିଲ୍ଲାରେ ଏହାର ପ୍ରଭାବ ରହିବ। ଏନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ରହିଥିବାବେଳେ ଉକ୍ତ ଦିନ ଆଉ ୭ ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦୁଝର ରହିଛି। ୬ ତାରିଖ ଦିନ ବାତ୍ୟାର ପ୍ରଭାବ ଓଡ଼ିଶାରୁ କମିବା ସହ କିଛି ଉପକୂଳ ଜିଲ୍ଲାରେ ଝିପଝିପ ବର୍ଷା ସମ୍ଭାବନା ରହିଛି। ୭ରୁ ଆକାଶ ବଳୟମୁକ୍ତ ହେବା ସହ ପାଗ ମୁଖ୍ୟତଃ ଶୁଖିଲା ରହିବା ଆରମ୍ଭ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ପରେ ୧୪ ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ କରାଯାଇଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ରାଜ୍ୟ ସରକାର ବାତ୍ୟା ଜୱାଦ ଉପରେ ନଜର ରଖିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ଚାଷୀଙ୍କୁ ନିଜର ଅମଳ ଫସଲକୁ ତୁରନ୍ତୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ୪ ଓ ୫ ତାରିଖ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଉଥିବାବେଳେ ଫସଲ ଅମଳ ବ୍ୟାପକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ତଳିଆ ଅଞ୍ଚଳ ଜମିରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜିଲ୍ଲାସ୍ତରରେ ମାଇକ୍ ଯୋଗେ ଫସଲ ଅମଳ ପାଇଁ ପ୍ରଚାର କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମଦ୍ରରୁ ଫେରି ଆସିଛନ୍ତି। ୫ ତାରିଖ ଯାଏ ସମୁଦ୍ରରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବାବେଳେ ଆସନ୍ତାକାଲି ସୁଦ୍ଧା ଚିଲିକା ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଅଣାଯିବ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସେହିପରି ଉକ୍ତ ୧୪ ଜିଲ୍ଲା ପାଇଁ ଓଡ୍ରାଫର ୬୦ ଟିମ୍‌, ଏନଡିଆରଏଫର ୩୪ ଟିମ୍‌, ଅଗ୍ନିଶମ ବାହିନୀର ୧୭୨ଟି ଟିମ୍‌କୁ ପ୍ରସ୍ତୁତ କରାଯାଇଛି। ମୋଟ ୨୬୬ ଟିମ୍ ଗଠନ କରାଯାଇଥିବାବେଳେ ଗୁରୁବାର ସୁଦ୍ଧା ୨୨୫ ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି। ଆହୁରି ୫୧ ଟିମକୁ ରିସର୍ଭ ରଖାଯାଇଥିବାବେଳେ ଆବଶ୍ୟକତା ଅନୁସାରେ ମୁତୟନ କରାଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବା ନେଇ ଆକଳନ ରହିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରରେ ଉଚ୍ଚ ଜୁଆରକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯିବ। ଛୋଟ ଛୁଆଙ୍କୁ ଶିଶୁ ଖାଦ୍ୟ ଦିଆଯିବ। କୌଣସି ନେଟୱର୍କ ସମସ୍ୟା ରହିବ ନାହିଁ। ଗୋଟିଏ ଟାୱାର କ୍ଷତିଗ୍ରସ୍ତ ହେଲେ କମ୍ପାନୀ ଟାୱାର ଯୋଗାଇ ଦେବ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯିବ। ଡିସେମ୍ବର ୧୦ ସୁଦ୍ଧା ଗର୍ଭପାତ ତାରିଖ ଥିବା ପ୍ରସୂତିଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଶୀଘ୍ର ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ଶ୍ରୀ ଜନୋ ପରାମର୍ଶ ଦେଇଛନ୍ତି।

ସୂଚନାଥାଉ କି, ବାତ୍ୟା ଜୱାଦ ଆନ୍ଧ୍ର/ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ବେଳକୁ ଏକ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆଇଏମ୍‌ଡି ସ୍ପଷ୍ଟ କରିଛି। କିନ୍ତୁ ଏହା ସମୁଦ୍ର ମଝିରୁ ନିଜ ଦିଗ ପରିବର୍ତ୍ତନ କରିବ, କିମ୍ବା ଉପକୂଳ ସହ ଘସି ହୋଇ ପଶ୍ଚିମବଙ୍ଗ ଯିବ ଏନେଇ କୌଣସି ସୂଚନା ଜାରି ହୋଇନାହିଁ। ଏପରିକି ସ୍ଥଳଭାଗ ଛୁଇଁବ କି ନାହିଁ ଏବଂ କେତେବେଳେ ଦିଗ ବଦଳାଇବ ସେ ବାବଦରେ ମଧ୍ୟ କୌଣସି ସୂଚନା ମିଳିନାହିଁ। କିନ୍ତୁ ପ୍ରାଥମିକ ଭାବେ ଏହାର ପ୍ରଭାବ ଆସନ୍ତାକାଲି ରାତିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନୁଭୂତ ହେବ ବୋଲି ଜଣାପଡ଼ିଛି।