ଭୁବନେଶ୍ୱର,ଏନ୍ଏନ୍ଏସ୍: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ଆଭିମୁଖ୍ୟ ଜାରି ରହିଛି। ଏହି ନୀତି ଅନୁଯାୟୀ ଆଉ ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇ ଥିବାବେଳେ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏଥିସହ ଦୁଇ ଜଣ ଅଧିକାରୀଙ୍କ ପେନ୍ସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।
ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି। ପୂର୍ବରୁ ସେ ଜଟଣୀ ମ୍ୟୁନିସିପାଲ୍ଟି ଓ ଛତ୍ରପୁର ଏନ୍ଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି। ସେହିପରି ବେଲପାହାଡ଼ ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଝାରସୁଗୁଡ଼ା ମ୍ୟୁନିସପାଲିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବି ବାଧ୍ୟତାମୂଳକ ଅବସର ଦିଆଯାଇଛି।
ପୁରୀ ଜିଲ୍ଲା ବେତାଲ ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ପରିଡ଼ାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଆଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁଁ ଚାକିରୀରୁ ବହିଷ୍କାର କରାଯାଇଛି। ଏହି ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ‘ମୋ ସରକାର ଫିଡ୍ବ୍ୟାକ୍’ରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ। ଅପରପକ୍ଷରେ ଓଡ଼ିଶା ପୁଲିସ ସେବା ଅଧିକାରୀ ବଲାଙ୍ଗିରର ପୂର୍ବତନ ଅତିରିକ୍ତ ଏସ୍ପି ତଥା ହୋମଗାର୍ଡ଼ର ପୂର୍ବତନ ଡିଏସ୍ପି ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍ର ପୂର୍ବତନ ଏଏଫଓ ଏପିଲି ଉଦୟନାଥଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ୍ କରାଯାଇଛି। ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।