କଟକ,ଏନ୍ଏନ୍ଏସ୍: ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଚାଲିଥିବା ହିରୋ ସିନିୟର୍ ମହିଳା ଜାତୀୟ ଫୁଟବଲ୍ ଚାମ୍ପିଅନ୍ଶିପ୍ (ଏନ୍ଏଫ୍ସି) ୨୦୨୧-୨୨ରେ ଗୁରୁବାର ଓଡ଼ିଶା କ୍ୱାର୍ଟର୍ ଫାଇନାଲ୍କୁ ଉନ୍ନୀତ ହୋଇଛି। ଦଳ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ହରିଆଣାକୁ ୨-୧ରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପ୍ରବେଶ କରିଛି। କେରଳର କୋଝିକୋଡିସ୍ଥିତ କାଲିକଟ୍ ମେଡିକାଲ୍ କଲେଜ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ଦୁଇଟି ଗୋଲ୍ ବନ୍ୟା କବିରାଜ ଓ ଦୀପା ନାୟକ ସ୍କୋର୍ କରିଥିଲେ।
ପ୍ରଥମ ଗୋଲ୍ଟି ମ୍ୟାଚ୍ର ଊନବିଂଶତମ ମିନିଟ୍ରେ ଦୀପା ସ୍କୋର୍ କରି ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧ ଖେଳରେ ବନ୍ୟା ୬୦ତମ ମିନିଟ୍ରେ ଦଳର ଏହି ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ପରେ ଇନ୍ଜୁରୀ ଟାଇମରେ ଅର୍ଥାତ୍ ୯୦+୨ ମିନିଟ୍ ସମୟରେ ହରିଆଣା ପକ୍ଷରୁ ଏକମାତ୍ର ଗୋଲ୍ଟି ବିଧି ସ୍କୋର୍ କରିଥିଲେ। କିନ୍ତୁ ଏହା କେବଳ ଦଳର ପରାଜୟ ବ୍ୟବଧାନକୁ ହ୍ରାସ କରିଥିଲା। କ୍ୱାର୍ଟର୍ରେ ପ୍ରବେଶ କରିବା ପରେ ଏହି ପର୍ଯ୍ୟାୟରେ ଓଡ଼ିଶା ଦଳର ସଫଳତା କାମନା କରିଛନ୍ତି ଓଡ଼ିଶା ଫୁଟବଲ୍ ସଂଘ (ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା।