- ଭୁବନେଶ୍ୱର: ବହୁଚର୍ଚ୍ଚିତ ରାଜଧାନୀ ପ୍ରିୟଙ୍କା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ଭିମଟାଙ୍ଗୀ ହତ୍ୟାକାଣ୍ଡକୁ ନେଇ କମିସନରେଟ ପୁଲିସ କରିଛି ବଡ଼ ଖୁଲାସା। ହତ୍ୟାକୀର ଜଗନ୍ନାଥ ସୁସ୍ଥ ହେବା ପରେ ପୁଲିସ ଥାନାରେ ପଚରାଉଚରା କରିଥିଲା। ଏହି ସମୟରେ ଅଭିଯୁକ୍ତ ହତ୍ୟାକାରୀ ଜଗନ୍ନାଥ ସବୁ ସତ ଓଗାଳିଛି। ହତ୍ୟା କରିବା ପରେ ସିନ୍ଦୂର ପିନ୍ଧାଇଥିଲା। ସାଙ୍ଗରେ ଚକୋଲେଟ ଓ ଛୁରୀ ଅଣିଥିବା କଥା ମାନିଛି ହତ୍ୟାକୀର ଜଗନ୍ନାଥ।
ଏହାପରେ ଭୁବନେଶ୍ୱର ଡିସିପି ଗଣମାଧ୍ୟମ ଆଗରେ ସମ୍ପୂର୍ଣ୍ଣ ଘଟଣାର ସୂଚନା ଦେଇଛନ୍ତି। ତଦନ୍ତ ବେଳେ ଜଗନ୍ନାଥ କହିଛି, ଘଟଣାର ୪ ଦିନ ପୂର୍ବରୁ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ହତ୍ୟା ପାଇଁ ରଚିଥିଲା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର। ସାଥିରେ ନେଇ ଫେରାର କରିବ ନଚେତ ହତ୍ୟା କରିବ ବୋଲି ମନସ୍ଥ କରିସାରିଥାଏ ଜଗନ୍ନାଥ। ସେଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା ଜଗନ୍ନାଥ। ସେପଟେ ହତ୍ୟାକାଣ୍ଡ ଦିନ ସକାଳ ୯ଟା ବେଳେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା। ସାଥିରେ ଚକୋଲେଟ, ଛୁରୀ ମଧ୍ୟ ନେଇଥିଲା ଜଗନ୍ନାଥ। ଘରେ ପ୍ରବେଶ କରିବା ପରେ ପ୍ରିୟଙ୍କାକୁ ବିବାହ କରିବା ସହ ସାଥିରେ ଫେରାର ହେବାକୁ କହିଥିଲା। କିନ୍ତୁ ପ୍ରିୟଙ୍କା ଜଗନ୍ନାଥ ସହିତ ଯିବା ପାଇଁ ମନା କରିଥିଲେ। ଏହି ସମୟରେ ଘର ମାଲିକ ଦହିବରା ଦେବାକୁ ଆସି କବାଟ ବାଡେଇଥିଲେ। ଧରା ପଡିଯିବା ଭୟରେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିବା ପୁଲିସ ଆଗରେ କହିଛି। ଅନ୍ୟପଟେ ଘର ମାଲିକ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଥିରେ ନେଇଯାଇଥିଲେ।
ଘର ମାଲିକ ଯିବା ପରେ ପୁନଶ୍ଚ ଜଗନ୍ନାଥ ପ୍ରିୟଙ୍କାଙ୍କୁ ସାଥିରେ ଫେରାର ହୋଇଯିବା ନେଇ ଜିଦ୍ କରିଥିଲେ। କିନ୍ତୁ ପ୍ରିୟଙ୍କା ନାରାଜ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଢେର ସମୟ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ପ୍ରିୟଙ୍କା ମନା କରିବା ପରେ ଉତ୍ତ୍ୟକ୍ତ ହୋଇ ଜଗନ୍ନାଥ ଛୁରୀ ଭୁସି ହତ୍ୟା କରିଥିବା ସ୍ୱୀକାର କରିଛି। ସେହିପରି ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଜଗନ୍ନାଥ ସିନ୍ଦୂର ପିନ୍ଧାଇଥିବା ପୁଲିସ ଆଗରେ କହିଛି।