ସର୍ଭିସ ରିଭଲବରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ଜଣେ ସିଆରଫିଏଫ ଯବାନ ନିଜ ସର୍ଭିସ ରିଭଲବରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ଜଣକ କମଳାକାନ୍ତ ରୋହିଦାସ ବୋଲି ଜଣାପଡିଛି। କମଳାକାନ୍ତ ଗତ ଶୁକ୍ରବାର ରାତି ପ୍ରାୟ ୧୨ଟାରେ ନିଜ କ୍ୟାମ୍ପରେ ଆତ୍ମହତ୍ୟା କରିଥିବା ସୁକୁମା ଜିଲ୍ଲା ଆରକ୍ଷୀ ଅଧିକାରୀ କେଏଲ ଧ୍ରୁବ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କମଳାକାନ୍ତଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ସୁକୁମା ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଝାରସୁଗୁଡା ଜିଲ୍ଲା ବ୍ରଜରାନଗରସ୍ଥିତ ଘରକୁ ପଠାଯାଇଛି। ବ୍ରଜରାଜନଗର ପୁଲିସର ତତ୍ୱାବଧାନରେ ତାଙ୍କର ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରି ଶେଷକୃତ୍ୟ ସମ୍ପନ୍ନ କରାଯିବ। ପ୍ରକାଶ ଯୋଗ୍ୟ ଯେ, ବ୍ରଜରାଜନଗର ସାଇ ମନ୍ଦିର ନିକଟରେ କମଳାକାନ୍ତଙ୍କ ଘର ରହିଛି। ବାପାଙ୍କର ଦେହାନ୍ତ ହୋଇ ସାରିଥିବାବେଳେ ତାଙ୍କ ପରିବାରରେ ମା ୨ ଭଉଣୀ ଓ ୪ ବଡ ଭାଇ ଅଛନ୍ତି। କମଳାକାନ୍ତ ପରିବାରର ସବା ସାନ ଭାଇ ହୋଇଥିବାବଳେ ଗତ ୨୦୧୭ ମସିହାରେ ସିଆରପିଏଫ୍ରେ ଯୋଗଦେଇ ଝାଡଖଣ୍ଡରେ ନିଯୁକ୍ତି ପାଇଥିଲେ। ଏହାର କିଛିଦିନ ପରେ ଛତିଶଗଡ଼ର ସୁକମା ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା। ତେବେ ସେ ସେଠାରେ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।