କୋୱିନ ପ୍ଲାଟଫର୍ମ ଅନ୍ୟ ଦେଶମାନଙ୍କ ଲାଗି ଡିଜିଟାଲ ଜନସେବା : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ୱ ସମ୍ମିଳନୀକୁ ଆଜି ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି ଯେ, ବିଗତ ଶହେ ବର୍ଷ ମଧ୍ୟରେ ଏପରି ମହାମାରୀ ଦେଖିବାକୁ ମିଳିନଥିଲା। କରୋନା ମହାମାରୀର ପ୍ରାରମ୍ଭରୁ ଏହାର ମୁକାବିଲା ନେଇ ଭାରତ ସମସ୍ତ ସମ୍ବଳ ଓ ଜ୍ଞାନ କୌଶଳକୁ ଯଥାସମ୍ଭବ ସାରା ବିଶ୍ୱ ସହ ଆଦାନପ୍ରଦାନ କରିଆସିଛି। ଯେକୌଣସି ରାଷ୍ଟ୍ର ଯେତେ ବି ଶକ୍ତିଶାଳୀ ହେଉ ନା କାହିଁକି ଏଭଳି ମହାମାରୀର ମୁକାବିଲା ଏକୁଟିଆ କରିପାରିବ ନାହିଁ। କରୋନା ବିରୋଧରେ ଲଢ଼ିବା ପାଇଁ ସଫ୍ଟୱେର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଟ୍ରେନିଂ ଓ ଟ୍ରେସିଂ ଦ୍ୱାରା ଓପନ ସୋର୍ସ ଆରମ୍ଭ କରାଯାଇଛି।

ମୋଦୀ ଆହୁରି କହିଛନ୍ତି ଯେ, କରୋନାକୁ ହରାଇବା ପାଇଁ ଭ୍ୟାକ୍ସିନ ଏକ ଭରୋସା ସଦୃଶ। ଆମେ ପ୍ରାରମ୍ଭରୁ ହିଁ ଟିକାକରଣ ଅଭିଯାନକୁ ଡିଜିଟାଲ ମାଧ୍ୟମରେ ଯୋଡ଼ିଛୁ। ଭାରତୀୟ ସଭ୍ୟତା ପୁରା ବିଶ୍ୱକୁ ଗୋଟିଏ ପରିବାର ବୋଲି ମାନିଥାଏ। ଭାରତ କୋୱିନ ପ୍ଲାଟଫର୍ମକୁ ଅନ୍ୟ ଦେଶମାନଙ୍କ ଲାଗି ଡିଜିଟାଲ ଜନସେବା ରୂପେ ପ୍ରସ୍ତୁତ କରିଛି। କାନାଡା, ମେକ୍ସିକୋ, ନାଇଜେରିଆ, ପନାମା ଓ ଉଗାଣ୍ଡା ଭଳି ୫୦ଟି ଦେଶ ଟିକାକରଣ ଅଭିଯାନ ଲାଗି ଡିଜିଟାଲ ମଞ୍ଚ କୋୱିିନକୁ ଆପଣାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।