ବେଙ୍ଗାଲୁରୁ,ଏଜେନ୍ସି: ସାରା ଦେଶରେ ମହାମାରୀ ବିରୋଧରେ ଜାରି ରହିଛି ଟିକାକରଣ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭାରତୀୟ ମେଡିକାଲ ଆସୋସିଏସନକୁ କୋଭିଡ ବିରୋଧରେ ଚାଲିଥିବା ଟିକାକରଣର ନିରାପତ୍ତା ତଥା ମହତ୍ୱ ବିଷୟରେ ଲୋକଙ୍କୁ ସେଚେତନ କରିବା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।
ଉପରାଷ୍ଟ୍ରପତି କର୍ଣ୍ଣାଟକ ରାଜ୍ୟ ଦ୍ୱାରା ‘ଭ୍ୟାକ୍ସିନ ଇଣ୍ଡିଆ ପ୍ରୋଗ୍ରାମ’ ଉଦଘାଟନ କରିବା ସମୟରେ ଏହା କହିଛନ୍ତି। କେତେକ ସ୍ଥାନରେ ଟିକାକରଣ ଦ୍ୱନ୍ଦ ଦେଖାଦେଇଛି ଏବଂ ଯେଉଁମାନେ ଟିକାକୁ ନେଇ ସନ୍ଦେହ ଘେରରେ ଅଛନ୍ତି ସେମାନଙ୍କ ମଧ୍ୟରେ ଶିକ୍ଷାଦାନ ଏବଂ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଉପରାଷ୍ଟ୍ରପତି। ଟିକାକରଣକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି ଉପରାଷ୍ଟ୍ରପତି। ସବୁ ଲୋକ ଟିକା ନେବା ଦରକାର। ଏହା ସହିତ ଲୋକଙ୍କୁ ଟିକା ସମ୍ବନ୍ଧୀୟ ସମସ୍ତ ସଠିକ ତଥ୍ୟ ପ୍ରଦାନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ସଠିକ୍ ତଥ୍ୟ ପ୍ରଦାନ କରି ଭୁଲ ତଥ୍ୟକୁ ହଟାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇ଼ଡୁ। ମହାମାରୀ ବିରୋଧରେ ଟିକା ପ୍ରଭାବଶାଳୀ ରହିବ। ରୋଗର ଗମ୍ଭୀରତାକୁ ହ୍ରାସ କରିବ ଏହା ସହିତ ସଂକ୍ରମିତ ହୋଇଥିଲେ ମଧ୍ୟ ଏହି ରୋଗ ସାମାନ୍ୟ ହେବ ବୋଲି କହିଛନ୍ତି ଉପରାଷ୍ଟ୍ରପତି। ଲୋକମାନଙ୍କ ସହଯୋଗ ବିନା ମହାମାରୀ ବିରୋଧରେ ଲଢେଇ ଅସମ୍ଭବ। କୋରୋନାର ସମସ୍ତ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ନାଇଡୁ। ପ୍ରକାଶ ଥାଉ କି, ଦେଶରେ ଏପର୍ଯ୍ୟନ୍ତ ୫୮ କୋଟି ଟିକାକରଣ ସରିଛି। ସୁସ୍ଥତା ହାର ୭.୬ ପ୍ରତିଶତରେ ପହଞ୍ଚିଛି। ତଥାପି ସଙ୍କଟ ଟଳିନାହିଁ। ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ।