କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୪୫ ହଜାର ଜୋରିମାନା ଆଦାୟ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରେ କୋଭିଡ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। ସୂଚନା ଅନୁସାରେ ବଡ଼ବଜାରୀ ଅଞ୍ଚଳରେ ବ୍ୟବସାୟୀମାନେ ସରକାରଙ୍କ କୋଭିଡ କଟକଣାର ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଅନ୍ନପୂର୍ଣ୍ଣା ବଜାର ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ଉ କରାଯାଇଥିଲା। ସେଠାରେ ସାମାଜିକ ଦୂରତା ଓ କୋଭିଡ ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗରେ ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ପରିପ୍ରେକ୍ଷୀରେ କେତେକ ଦୋକାନକୁ ସିଲ ମଧ୍ୟ କରାଯାଇଥିବା ଜଣାପଡ଼ିଛି।

ଏହି ଚଢ଼ଉ ସମୟରେ ଏସଡ଼ିଏମ ଶ୍ୱେତ ଦାସଙ୍କ ସମେତ ତହସିଲଦାର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମରେ ପ୍ରଶାସନର କଡ଼ା ପଦକ୍ଷେପ ପରେ କରୋନା ମାତ୍ରା କମିଛି। ବର୍ତ୍ତମାନ ସୁଦ୍ଧା ଦେଶରୁ କରୋନା ବିପଦ ଟଳି ନଥିବାରୁ ଜିଲ୍ଲାରେ କୋଭିଡ କଟକଣା ମାନିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।