ପିପିଇ କିଟ ଘୋଡାଇ ଚାଲାଣ ହେଉଛି ଗଞ୍ଜେଇ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜେଇ ଚାଲାଣ ପାଇଁ ନୂତନ ପ୍ରଣାଳୀ ଆପଣାଇଛନ୍ତି ଚାଲାଣକାରୀ। କରୋନା ମହାମାରୀର ଫାଇଦା ଉଠାଇ ପିପିଇ କିଟ ଘୋଡାଇ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଲାଣ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତ୍ରିରେ ବୁଡାମ୍ବ ଫାଣ୍ଡି ନିକଟରୁ ଏକ ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ ହୋଇଛି। ଗାଡ଼ି ଯାଞ୍ଚ ସମୟରେ ଆମ୍ବୁଲାନ୍ସରେ ପିପିଇ କିଟ ଦ୍ୱାରା ଗଞ୍ଜେଇ ପକେଟକୁ ଘୋଡାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ଏଥିସହ ଗାଡ଼ିରେ ଥିବା ୨ ଜଣଙ୍କୁ ଅଟକ ରଖାଯାଇଛି। ତେବେ ଏହି ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିବା ଜଣାପଡ଼ିଛି।