କୋଭିଡ-୧୯ ପର୍ଯ୍ୟବେକ୍ଷକଙ୍କ ଦେବଗଡ଼ ଜିଲ୍ଲା ଗସ୍ତ

ଦେବଗଡ଼,ଏନ୍ଏନ୍ଏସ୍: କୋଭିଡ-୧୯ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଏସବୁର ପ୍ରସ୍ତୁତିକୁ ତଦାରଖ ପାଇଁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟ ସରକାରଙ୍କ ଶକ୍ତିବିଭାଗର ସଚିବ ବିଷ୍ଣୁପଦ ସେଠୀ, ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥି ଆଜି ଜିଲ୍ଲା ଗସ୍ତ କରିଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ଣରେ ସର୍କିଟ ହାଉସ ଠାରେ ଥିବା କୋଭିଡ ହସ୍ପିଟାଲ ଓ ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି।

ଏଥିସହ ଜିଲ୍ଲାର ପଞ୍ଚାୟତମାନଙ୍କରେ ଖୋଲାଯାଇଥିବା ଆଇସୋଲେସନ ସେଣ୍ଟର ଗୁଡିକର ପରିଚାଳନା ଓ ବ୍ୟବସ୍ଥା ସମ୍ପର୍କରେ ଅଲୋଚନା ହୋଇଛି। ସେହିପରି କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକରେ ବିଶେଷତଃ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ସେବା ସମ୍ପର୍କରେ ଆଲୋଚନା କରାଯିବା ସହ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ।

ଏଥିସହ କୋଭିଡ-୧୯ ମୁକାବିଲାରେ ସମସ୍ତ ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ଦର୍ଶାଇଛନ୍ତି। ବୈଠକ ପରେ ଉପରୋକ୍ତ ସଚିବ ଜିଲ୍ଲା କୋଭିଡ ହସ୍ପିଟାଲ ସମେତ କେତେକ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଆଇସୋଲେସନ ସେଣ୍ଟର ଓ କଣ୍ଟେନମେଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ।