ସ୍ୱପ୍ନରେ ରହିଗଲା ଦ୍ୱିତୀୟ ବିବାହ: ପ୍ରେମିକର ଉତ୍ପାତ ପରେ ଭାଙ୍ଗିଲା ବାହାଘର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରେମିକାର ମେହେନ୍ଦୀ ଉତ୍ସବରେ ପ୍ରେମିକ ପହଞ୍ଚି ତାଙ୍କୁ ପତ୍ନୀ ବୋଲି ଦାବି କରିବା ସହ ଉତ୍ପାତ କରିଥିଲେ। ଯାହା ପ୍ରେମିକର ମେହେନ୍ଦୀ ଉତ୍ସବକୁ ଫିକା ପକାଇଥିବାବେଳେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଅନୁଗୁଳ ଅଞ୍ଚଳର ରାକେଶ ବାରିକ +୨ରେ ପଢୁଥିବାବେଳେ ୨୦୦୮ରେ ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଉଥିଲେ। ସେଠାରେ କୋଚିଂ ନେଉଥିବା ନୂଆପଲ୍ଲୀ ରେଣ୍ଟାଲ କଲୋନୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ନିବିଡ଼ ହେବା ସହ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଦୁଇଜଣ ସମାନ ଜାତିର ହୋଇନଥିବାରୁ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ।

ସମୟକ୍ରମେ ଯୁବତୀ ଜଣକ ନୂଆଦିଲ୍ଲୀ ନୋଏଡାସ୍ଥିତ ଏକ କମ୍ପାନୀରେ ଚାକିରି ପାଇଥିଲେ। ଚାକିରି ପାଇବା ପରେ ସେ ଦିଲ୍ଲୀ ପଳାଇଥିଲେ। ରାକେଶ ମଧ୍ୟ ଟାଟା ଷ୍ଟିଲରେ ସହକାରୀ ଇଞ୍ଜିନିୟର ଭାବେ ଚାକିରି ପାଇଥିଲେ। ଦୁହିଁଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଓ ଜଣେ ଓଡ଼ିଶାରେ ରହିଥିଲେ ମଧ୍ୟ ପରସ୍ପର ମଧ୍ୟରେ ଯୋଗାଯୋଗ ଓ ସୁସମ୍ପର୍କ ରହିଥିଲା। ତେବେ କିଛିଦିନ ତଳେ ଯୁବତୀଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା। ଏହାକୁ ନେଇ ରାକେଶ ଚିନ୍ତାରେ ପଡ଼ିଥିବାବେଳେ ଯୁବତୀ ଜଣକ ଅନ୍ୟତ୍ର ବିବାହ କରୁଥିବା ଜାଣିବାକୁ ପାଇଥିଲେ। ଏପରିକି ବୁଧବାର ତାଙ୍କର ମେହେନ୍ଦୀ ଉତ୍ସବ ପାଳନ କରାଯାଉଥିବା ଜାଣିବା ପରେ ସେ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ।

ବୁଧବାର ପୂର୍ବାହ୍ଣରେ ରାକେଶ ନୂଆପଲ୍ଲୀ ରେଣ୍ଟାଲ କଲୋନୀସ୍ଥିତ ଝିଅ ଘରେ ପହଞ୍ଚିଥିଲେ। ଦୁଇଜଣ ବନ୍ଧୁଙ୍କ ସହ ସେ ସେଠାରେ ପହଞ୍ଚି ଯୁବତୀଙ୍କୁ ନିଜର ପତ୍ନୀ ବୋଲି ଦାବି କରିଥିଲେ। ହେଲେ ତାଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିନଥିଲେ। ରାକେଶଙ୍କୁ ପାଗଳ ପ୍ରଳାପ କହି ଫେରାଇ ଦେଇଥିଲେ। ପରେ ରାକେଶ ସେଠାରେ ହୋହଲ୍ଲା କରିବା ସହ ଧାରଣାରେ ବସିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚି ରାକେଶକୁ ବୁଝାସୁଝା କରିବା ସହ ବିବାହର ପ୍ରମାଣପତ୍ର ମାଗିଥିଲେ। ସେ ପୁଲିସକୁ ସମସ୍ତ କାଗଜପତ୍ର ଦେଖାଇବା ପରେ ତାଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ। ପରେ ବିବାହକୁ ଅଟକାଇବା ପାଇଁ ପୁଲିସ ନୋଟିସ୍ ଦେବା ପରେ ବିବାହ ଭାଙ୍ଗିଯାଇଥିଲା। ତେବେ ପ୍ରେମିକାର ଘର ଆଗରେ ପ୍ରେମିକର ଏଭଳି କାଣ୍ଡକୁ ନେଇ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।