ସ୍ୱାସ୍ଥ୍ୟ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା: ହାଇକୋର୍ଟଙ୍କ କାରଣ ଦର୍ଶାଅ ନିର୍ଦ୍ଦେଶ

କଟକ,ଏନ୍‌ଏନ୍‌ଏସ୍‌: ଏକ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ କ’ଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିିଁ ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ସଚିବଙ୍କୁ ଆଦେଶ ଦେଇଛନ୍ତି। ଆବେଦନକାରିଣୀ ଡାକ୍ତର ଶର୍ମିଷ୍ଠା ପାଢ଼ୀଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ଆଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣିବେଳେ ହାଇକୋର୍ଟଙ୍କ ଆଦେଶ ପାଳନ କରାଯାଇନଥିବାରୁ ଅଦାଲତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହିତ ଆଦେଶ ପାଳନ କରିବାକୁ ହାଇକୋର୍ଟ ସଚିବଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଆସନ୍ତା ୨୦୨୨, ଜାନୁୟାରୀ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।

ସ୍ୱାସ୍ଥ୍ୟ ବିଭାଗରେ ସୁପରସ୍ପେଶାଲିଟି, ସ୍ପେଶାଲିଟି ବର୍ଗରେ ସହକାରୀ ପ୍ରଫେସର ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଗତ ୨୦୧୫-୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍‌ପିଟାଲ୍ ଓ ଏମକେସିଜି ନିମନ୍ତେ ଗୋଟିଏ ଏବଂ ଭିମସାର ପାଇଁ ଅନୁରୂପ ଭାବେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚୟନ ପ୍ରକ୍ରିୟା ପରେ ନିଯୁକ୍ତି ଦିଆଯାଇଥିଲା। ତେବେ ଭିମ୍‌ସାରରେ କେତେକ ପଦ ପୂରଣ ହୋଇ ପାରି ନଥିଲା। ଫଳରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପାଇଁ ଆବେଦନକାରିଣୀ ଡାକ୍ତର ପାଢ଼ୀଙ୍କ ପକ୍ଷରୁ ସ୍ୟାଟ୍‌ରେ ଆବେଦନ ହୋଇଥିଲା।

ଗତ ୨୦୧୭ ମସିହା ଅଗଷ୍ଟ ୩୦ ତାରିଖରେ ସ୍ୟାଟ୍ ଡାକ୍ତର ପାଢ଼ୀଙ୍କ ଆବେଦନର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ଆଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ପରେ ଲୋକସେବା ଆୟୋଗ ପକ୍ଷରୁ ବିଭିନ୍ନ ବିଭାଗ ନିମନ୍ତେ ଡାକ୍ତର ପାଢୀଙ୍କ ସମେତ ଅନ୍ୟ ୧୦ ଜଣଙ୍କ ନାମ ନିଯୁକ୍ତି ପାଇଁ ଅନୁମୋଦନ କରିଥିଲା। ଲୋକସେବା ଆୟୋଗ ତାଙ୍କ ନାମ ଅନୁମମୋଦନ କରିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନଥିଲା। ଏପରି ନିଷ୍ପତ୍ତି ବିରୋଧରେ ଡାକ୍ତର ପାଢୀ ପୁଣି ଥରେ ସ୍ୟାଟ୍‌ଙ୍କ ଦ୍ୱାରସ୍ତ ହୋଇଥିଲେ। ସେ ଉକ୍ତ ଘଟଣାରେ ସଚିବଙ୍କ ବିରୋଧରେ ଅଦାଲତ ଅବାନନା ମାମଲା ରୁଜୁ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ୟାଟ୍ ଉଚ୍ଛେଦ ଯୋଗୁ ଏହି ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ହାଇକୋର୍ଟ ଏହି ମାମଲାରେ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ପରିଚାଳନା କରୁଛନ୍ତି।