ରାଜଧାନୀର ପ୍ରମୁଖ ସ୍କୁଲରେ ଛାତ୍ର କରୋନା ସଂକ୍ରମିତ, ଜାରି ହେବ ସ୍ୱତନ୍ତ୍ର ଏସ୍‌ଓପି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦୀର୍ଘ ଦେଢ଼ ବର୍ଷ ହେବ ରାଜ୍ୟରେ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିଲା। କରୋନା ସ୍ଥିତିକୁ ଅନୁଧ୍ୟାନ କରି ଗତ କିଛି ମାସ ହେବ ରାଜ୍ୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି। ତେବେ ପୂର୍ବରୁ ରାଜ୍ୟରେ କିଛି ଜିଲ୍ଲାରେ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଖୋଦ ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସେହିପରି ରାଜଧାନୀର ଏକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ରୁ ଅଧିକ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସୁରକ୍ଷାକୁ ନଜର ଦେଇ ସମ୍ପୃକ୍ତ ସ୍କୁଲ ଉପରେ କଡା ନଜର ରଖାଯାଇଥିବା ବେଳେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

ପ୍ରକାଶଥାଉ କି, ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟିଂ ହୋଇଥିଲା। ସେମାନଙ୍କ ମଧ୍ୟରୁ ନବମ ଶ୍ରେଣୀ ଦୁଇ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ଦୁଇ ଛାତ୍ରଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ରିପୋର୍ଟ ନେଗେଟିଭ ବାହାରି ଥିବା ନେଇ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ତେବେ ଦୁଇ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ କଟକଣା ଭିତରେ ଚାଲିଛି ସେମାନଙ୍କ ପାଠପଢ଼ା। ଏହାପରେ ସ୍କୁଲ ଓ ଶ୍ରେଣୀଗୃହକୁ ବିଶୋଧନ କରାଯାଇଥିବା ନେଇ ସୂଚନା ମିଳିଛି। ସେହିପରି ରାଜଧାନୀର ଏକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ରୁ ଅଧିକ ଶିକ୍ଷକ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆରଟିପିସିଆର ଟେଷ୍ଟ ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ କୋଭିଡ୍ ନିୟମ ଅନୁଯାୟୀ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଚାଲିଛି। ଅନ୍ୟ ସମସ୍ତ କ୍ଲାସ୍ ଅଫ୍‌ଲାଇନ ବଦଳରେ ଅନ୍‌ଲାଇନରେ ଚାଲୁ ରହିଛି।

ତେବେ ସ୍କୁଲଗୁଡିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ କରୋନା ଆକ୍ରାନ୍ତ ହେବା ସ୍ପଷ୍ଟ ହେବା ପରେ ବିଭାଗ ପକ୍ଷରୁ ଚିନ୍ତା ବଢ଼ିଯାଇଛି। ଯେଉଁ ସ୍କୁଲରେ ଛାତ୍ରଛାତ୍ରର କୋଭିଡ ଆକ୍ରାନ୍ତ ଧରାପଡୁଛନ୍ତି ସେହି ସ୍କୁଲକୁ ଭଲ ଭାବେ ସାନିଟାଇଜ କରିବା ସହ ଅଫ୍‌ଲାଇନ୍ ପାଠପଢ଼ା ବନ୍ଦ କରାଯାଉଛି। କେବଳ ଅନ୍‌ଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ତେବେ ଖୁବଶୀଘ୍ର ସବୁ ସ୍କୁଲର ପିଲାଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ସେହପରି ଯେଉଁ ଛାତ୍ରଛାତ୍ରୀଙ୍କ ଥଣ୍ଡା, ଜ୍ୱର, କଫ ଆଦି ଲକ୍ଷଣ ଦେଖିବାକୁ ମିଳିବ ସେହି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ନକରିବାକୁ ବିଭାଗ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।