ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମର୍ଣ୍ଣି ୱାର୍କରେ ଯାଇଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ସ୍ଥାନୀୟ ଲୋକମାନେ ୨୬ନଂ ଜାତୀୟରାଜପଥ ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପଟେ ଶହ ଶହ ଯାନ ଅଟକି ରହିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।