ବଜ୍ରପାତରେ ଦମ୍ପତି ମୃତ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଲାଠୋର ଥାନା ଅନ୍ତର୍ଗତ ଜଲ ପାକେଲ୍ ଗାଁରେ ବଜ୍ରପାତରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ଶତ୍ରୁଘ୍ନ ପୁଟେଲ(୩୫) ଓ ତାଙ୍କ ସ୍ତ୍ରୀ କୁମାରୀ ପୁଟେଲ(୩୦) ନିଜ ଜମିକୁ କାମ କରିବାକୁ ଯାଇଥିବାବେଳେ ଗତକାଲି ସନ୍ଧ୍ୟାରେ ଦୁହିିଁଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ କୁମାରୀର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଶତ୍ରୁଘ୍ନର ଅବସ୍ଥା ଗୁରୁତର ଥିଲା।

ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ପ୍ରାଥମିକ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ଖବରପାଇ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ସେମାନଙ୍କୁ ସଂଗେ ସଂଗେ ହରିଶ୍ଚନ୍ଦ୍ର ଯୋଜନାରୁ ୨୦୦୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ। ସେହିପରି ପଟଣାଗଡ଼ ପୁଲିସ ଶତ୍ରୁଘ୍ନଙ୍କର ଶବକୁ ଜବତ କରିଥିବା ବେଳେ ଲାଠୋର ପୁଲିସ ଜଲ ପାକେଲ୍ରୁ ସ୍ତ୍ରୀ କୁମାରୀର ଶବ ଜବତ କରି ସବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ସେହିପରି ମୃତ ଦମ୍ପତିଙ୍କର ୨ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି। ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି।