ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ, ଏଜେନ୍ସି: ଭାରତରେ କରୋନାଭାଇରସ୍ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର’ ‘ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ମାଗିଛି। ଫାଇଜର ଏବଂ ତା’ର ଜର୍ମାନ ବାୟୋଟେକ୍ନୋଲୋଜି ଅଂଶୀଦାର ‘ବାୟୋଏନଟେକ୍’ଦ୍ୱାରା ମିଳିତ ଭାବେ ବିକଶିତ ଏହି କୋଭିଡ୍-୧୯ ଟିକାକୁ ଗତ ବୁଧବାର ଦିନ ପ୍ରଥମେ ଇଂଲଣ୍ଡ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା। ଏହି ଟିକା କରୋନା ଭାଇରସ୍ ବିରୋଧରେ ୯୦%ରୁ ଅଧିକ ଫଳପ୍ରଦ ହେଉଥିବା କୁହାଯାଉଛି।

ଟିକା ଆମଦାନି କରି ଦେଶରେ ବଣ୍ଟନ କରିବାକୁ ଡିସେମ୍ବର ୪ ତାରିଖ ଦିନ ଦାଖଲ ହୋଇଥିବା ଏହି ଆବେଦନରେ ‘ଫାଇଜର ଇଣ୍ଡିଆ’ ଅନୁମତି ମାଗିଛି। ଏଥିସହ ୨୦୧୯ ‘ନିଉ ଡ୍ରଗ୍ ଆଣ୍ଡ୍ କ୍ଲିନିକାଲ୍ ଟ୍ରାଏଲସ୍ ରୁଲସ୍’ରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ଼ କରିବାକୁ ମଧ୍ୟ ଫାଇଜର ଅନୁମତି ଲୋଡ଼ିଛି।