କରୋନା ପ୍ରତିଷେଧକ ଟୀକାର ମାନବ ପରୀକ୍ଷଣ ଆରମ୍ଭ କଲା କାଡିଲା

ନୂଆଦିଲ୍ଲୀ,ଏଜେନ୍ସି : ଔଷଧ କମ୍ପାନୀ ଜିଡସ୍ କାଡିଲା ପକ୍ଷରୁ ବୁଧବାର କୋଭିଡ-୧୯ ପ୍ରତିଷେଧକ ଟୀକା ଜିକୋଭ-ଡିର ପରୀକ୍ଷଣ ମଣିଷଙ୍କ ଉପରେ ଆରମ୍ଭ ହୋଇଛି। ଗତ ମାସରେ ଏହି ଟୀକା ମଣିଷଙ୍କ ଠାରେ ପରୀକ୍ଷା କରିବା ଲାଗି କମ୍ପାନୀକୁ ଅନୁମତି ମିଳିଥିଲା। ମଣିଷଙ୍କ ଠାରେ ଏହି ଟୀକା ପରୀକ୍ଷା କରିବା ଲାଗି ଅନୁମତି ପାଇବାରେ ଜିଡସ କାଡିଲା ହେଉଛି ଦ୍ୱିତୀୟ ଔଷଧ କମ୍ପାନୀ। କମ୍ପାନୀ ଏହି ପରୀକ୍ଷଣ ଲାଗି ଦେଶର ବିଭିନ୍ନ ସ୍ଥାନରୁ ୧୦୦୦ ଜଣଙ୍କୁ ସାମିଲ କରିବ। ଏହା ପୂର୍ବରୁ କୋଭିଡ-୧୯ ପ୍ରତିଷେଧକ ଟୀକା କୋଭାସ୍କିନକୁ ମଧ୍ୟ ଏହି ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିସାରିଛି। ଏହି ଟୀକାକୁ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଓ ନ୍ୟାସ୍ନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହ ମିଶି ଭାରତ ବାୟୋଟେକ ବିକଶିତ କରିଛି।