ଲଦାଖ, ଏଜେନ୍ସି : ଲଦାଖ ସୀମାରେ ଦେଖା ଦେଇଥିବା ଉତ୍ତେଜନା ହ୍ରାସ କରି ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତ ଓ ଚୀନ୍ ମିଳିତଭାବେ ନିଷ୍ପତ୍ତି ନେଇଛନ୍ତି। ଭାରତ-ଚୀନ ଚତୁର୍ଥ କମାଣ୍ଡରସ୍ତରୀୟ ଆଲୋଚନାରେ ଏହା ସ୍ଥିର ହୋଇଛି। ଆଲୋଚନା ବେଳେ ସୀମା ପରିଚାଳନା ନେଇ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଭାରତ ପକ୍ଷରୁ ଚୀନକୁ କୁହାଯାଇଛି। ଅପରପକ୍ଷରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଆଲୋଚନା ସୀମାରେ ଉତ୍ତେଜନା ହ୍ରାସ ପାଇଁ ସହାୟକ ହେବ।
ଚୀନର ରାଷ୍ଟ୍ରାୟତ ସମ୍ବାଦପତ୍ର ଗ୍ଳୋବାଲ ଟାଇମ୍ସରେ ବୈଦେଶିକ ମନ୍ତ୍ରଣାଳୟର ଏହି ବିବୃତ୍ତିକୁ ଉଦ୍ଧାର କରାଯାଇ ବୁଧବାର କୁହାଯାଇଛି ଚୀନ୍ ଓ ଭାରତ ମଧ୍ୟରେ ଚତୁର୍ଥ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ଆଲୋଚନା ସକାରାତ୍ମକ ହୋଇଛି। ସୀମାରୁ ଦୁଇ ଦେଶ ସେମାନଙ୍କ ସୈନ୍ୟ ଆହୁରି ପ୍ରତ୍ୟାହାର କରିବା ଲାଗି ସ୍ଥିର ହୋଇଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ଏହି ବିବୃତ୍ତି ଦେଇ କହିଛନ୍ତି ଭାରତ ଏହି ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ।