କୋଭିଡ ହସ୍ପିଟାଲରେ କରୋନା ରୋଗୀର ଅନଶନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ କୋଭିଡ଼ ହସସ୍ପିଟାଲରେ ଅଧିକ ସୁବିଧା ଦାବି କରି କରୋନା ପଜିଟିଭ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ହିତରକ୍ଷା ପ୍ରମୁଖ ପୁରୁଷୋତ୍ତମ ସାହୁ ଗତକାଲି ଠାରୁ ହସ୍ପିଟାଲରେ ଅନଶନରେ ବସିଛନ୍ତି। ଏଥିସହ ଶ୍ରୀ ସାହୁ ହସ୍ପିଟାଲ ମଧ୍ୟରୁ ହ୍ୱାଟ୍ସଆପ ଯୋଗେ ତାଙ୍କ ଅଭିଯୋଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜଣାଇବା ସହ ଦେବଗଡ ବିଧାୟକ, ସାଂସଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ କରିଛନ୍ତି। ଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ହସ୍ପିଟାଲ ପରିସର ସଫା ହେଉନାହିଁ, ଗୋଟିଏ କୋଠରୀ ରେ ୨୨ଜଣ କରୋନା ପଜିଟିଭଙ୍କୁ ରଖାଯାଉଛି।

ସେହିପରି ସେମାନଙ୍କ ପାଇଁ ପାଇଖାନାର ଯଥେଷ୍ଟ ବ୍ୟବସ୍ଥା ନଥିବା ଅଭିଯୋଗରେ ଦର୍ଶାଇଛନ୍ତି। କପଡା ଶୁଖା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଯୋଗ ପ୍ରାଣାୟମ ପାଇଁ ଆସନର ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ କରୁ ନଥିବା ସେ ଅଭିଯୋଗ କରିଛନ୍ତି। ଗୋଟିଏ ମୁଣାରେ ଶାକାହାରୀ ଓ ମାଂସାହାରୀ ଖାଦ୍ୟ ଆସୁଥିବାରୁ ସେ ଶାକାହାରୀ ହୋଇଥିବା ଯୋଗୁଁ ଉକ୍ତ ମୁଣାରେ ଆସୁଥିବା ଖାଦ୍ୟକୁ ଗ୍ରହଣ କରୁ ନଥିବା ପ୍ରକାଶ କରିଛନ୍ତି। ତେବେ ଆଜିକୁ ତାଙ୍କ ଅନଶନ ଦ୍ୱିତୀୟ ଦିନରେ ପହଚିଂଥିବା ସେ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟଙ୍କ ମତାମତ ନେବାରୁ ସେ କୋଭିଡ ହସ୍ପିଟାଲରେ ସମସ୍ତ ଆନୁସଙ୍ଗିକ ସୁବିଧା ରହିଥିବା ବେଳେ ଶ୍ରୀ ସାହୁ ଭିତ୍ତିହୀନ ଅଭିଯୋଗ କରିବା ସହ ବିଚିତ୍ର ଦାବି କରୁଥିବା ପ୍ରକାଶ କରିଛନ୍ତି। ଶ୍ରୀ ସାହୁ କୋଭିଡ ଡାକ୍ତରଖାନାରେ ରହି ପାତଞ୍ଜଳୀ ଚିକିତ୍ସକଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଇବା ପାଇଁ ବାଧ୍ୟ କରୁଥିବା ସହ ପାତାଞ୍ଜଳୀ ବିସ୍କୁଟ ଓ ଯୋଗ ପାଇଁ ସ୍ୱତନ୍ତ୍ର ଆସନ ଦାବି କରୁଛନ୍ତି। ସେହିପରି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଶଭ୍ୟ ଭାଷାରେ ଗାଳି ଗୁଳଜ କରୁଥିବା ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏ ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଇଥିବା କହିଛନ୍ତି।