ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: କରୋନା ଯୋଦ୍ଧାଙ୍କ ସମ୍ମାନରେ ମେ’ ୩୦ ସନ୍ଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧା ମାନଙ୍କ ସହିତ ଫୋନରେ କଥା ହୋଇଥିବା ବେଳେ ଅପରାହ୍ଣରେ ଏକ ଭିଡିଓ ବାର୍ତ୍ତା ଜାରି କରିବା ସହିତ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ କରୋନା ଯୋଦ୍ଧାଙ୍କ ସମ୍ମାନରେ ମେ’୩୦ ତାରିଖ ସନ୍ଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରି ସେମାନଙ୍କୁ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବାରେ ଓଡ଼ିଶା ବିଶ୍ୱ ଲାଗି ଉଦାହରଣ ସାଜିଛି।

ଆମ ରାଜ୍ୟରେ କରୋନ ମୃତ୍ୟୁହାର ସବୁଠାରୁ କମ୍ ରହିଛି। ଏହାର କାରଣ ହେଉଛି ଗତ ଦୁଇମାସ ଧରି କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରିଥିବା ଆମର ଲକ୍ଷ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା। ଏହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବିଶ୍ୱର କୋଣଅନୁକୋଣରେ ଓଡ଼ିଆ ଭାଇଭଉଣୀ ଯେଉଁଠି ଥାଆନ୍ତୁ ନା କାହିଁକି ସାମାଜିକ ଦୂରତାକୁ ବଜାୟ ରଖି ମେ ୩୦ ତାରିଖ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଏଥିସହ ଆମର କୋଭିଡ୍ ଯୋଦ୍ଧ‌ା‌ଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ ବୋଲି ମୁଖ୍ୟମନ୍ତ୍ରୀ ଆଜି ନିଜ ବାର୍ତ୍ତାରେ ଏହି ଆହ୍ଵାନ ଦେଇଛନ୍ତି। ଦୁଇମାସ ହେବ ରାଜ୍ୟରେ କରୋନା ମହାମାରୀ ପ୍ରବେଶ କରିଥିବା ବେଳେ ଏବେ ବି ଏହାର ପ୍ରଭାବ ରହିଛି।

କେବଳ ଏତିକି ନୁହେଁ, କୋଭିଡ ବିରୋଧରେ ଜାରି ରହିଥିବା ସଂଗ୍ରାମରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା ପାଇଁ ଆମେ ଭଲ ସ୍ଥିତିରେ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ଆମ ପାଇଁ ଆଗକୁ ଆହୁରି କଠିନ ପରିସ୍ଥିତି ଆସିପାରେ। ପ୍ରତିଟି ଜୀବନକୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ। କରୋନା ପୀଡିତାଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ଆମ ପାଇଁ ଏକ ଖୁସି ଖବର। ଏହି କ୍ରମରେ ଦେଖିବାକୁ ଗଲେ ଅନେକ ଧନୀ ରାଷ୍ଟ୍ର ମଧ୍ୟ କରୋନା ଯୁଦ୍ଧରେ ସଫଳ ହୋଇ ନ ଥିବା ବେଳେ କରୋନା ମୁକାବିଲା ପାଇଁ ଓଡ଼ିଶା ଯେଭଳି ଭାବେ ପଦକ୍ଷେପ ନେଇଛି ତାହା ସର୍ବତ୍ର ପ୍ରଶଂସନୀୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।