କରୋନା ପ୍ରଭାବ: ଦେଶରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ସେବା ଠପ୍

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆଗାମୀ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ଦୂରଗାମୀ ମେଲ, ଏକ୍ସପ୍ରେସ୍, ଇଣ୍ଟରସିଟି, ପ୍ୟାସେଞ୍ଜର ଆଦି ଟ୍ରେନକୁ ବାତିଲ କରାଯାଇଛି। ତେବେ ଦେଶରେ ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ମାଲବାହି ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ ବୋଲି ଜଣାଯାଇଛି।

ଅପରପକ୍ଷରେ କୋଲକାତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ କରିବାକୁ ନୋଟିସ ଜାରି କରାଯାଇଛି। ତେବେ ଆଜି ଭୋର ୪ଟାରୁ ଯେଉଁ ଟ୍ରେନଗୁଡ଼ିକ ଗନ୍ତବ୍ୟସ୍ଥଳକୁ ବାହାରି ଯାଇଛନ୍ତି ସେମାନେ କେବଳ ଯାତ୍ରା କରିବେ ବୋଲି ରେଲୱେ ନୋଟିସ ଜାରି କରିଛି। ତେବେ ରେଲୱେର ଏହି ନିଷ୍ପତ୍ତି ପରେ ଦେଶରେ ପ୍ରାୟ ୧୨ହଜାର ଟ୍ରେନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ଯେଉଁ ଯାତ୍ରୀମାନଙ୍କ ଭଡା ଦେୟ ହୋଇସାରିଛି ସେମାନଙ୍କୁ ସମ୍ପୂର୍ଣ୍ଣ ପଇସା ଫେରସ୍ତ କରାଯିବ ବୋଲି ରେଲୱେ ନୋଟିସ ଜରିଆରେ ସୂଚନା ଦେଇଛି।