କେଉଁମାନେ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିିଁ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲା ଏବଂ ୮ଟି ସହର ୨୯ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିବା ବେଳେ ଜନସାଧାରଣଙ୍କ ସେବା ଓ ସହାୟତା ପାଇଁ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ସଜାଗ ରହିବ ବୋଲି କହିଥିଲେ। ସେ ନେଇ ଆଜି ପ୍ରମୁଖ ସଚୀବ ସଞ୍ଜୀବ ଚୋପ୍ରା ବିଜ୍ଞପ୍ତି ଜାରି କରିଛନ୍ତି। ସେଥିରେ କେଉଁ ବିଭାଗର କର୍ମଚାରୀ ଅଫିସ ଆସିବେ ଓ କେଉଁମାନେ ଆସିବେ ନାହିଁ ତାହା ସ୍ପଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅତ୍ୟନ୍ତ ଜରୁରୀ କାଳିନ ବିଭାଗ ଭାବେ ବିବେଚନା କରାଯାଇଛି ଓ ଉକ୍ତ ବିଭାଗର ସମସ୍ତ କର୍ମଚାରୀ ଅଫିସ ଆସିବେ ବୋଲି କୁହାଯାଇଛି।

ସେହିପରି, ଆଂଶିକ ଜରୁରୀ କାଳିନ ବିଭାଗ ଭାବେ ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋଲିଂ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ନିର୍ମାଣ ବିଭାଗର କର୍ମଚାରୀମାନେ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିଷ୍ପତ୍ତି କ୍ରମେ ଅଫିସ ଆସିବେ। ସେହିପରି ସମବାୟ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ପରିବେଶ, ବୟନ ଓ ହସ୍ତତନ୍ତ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ, ଇଏସଆଇ, ଏମଏସଏମଇ, ଓଏଲଏଲ, ସଂସ୍କୃତି, ସଂସଦୀୟ ବ୍ୟାପାର, ବ୍ୟବସାୟ ଓ ରୂପାୟନ ସେମେତ ମୋଟ୨୫ଟି ବିଭାଗର କର୍ମଚାରୀ ମାନଙ୍କୁ ଚଳିତ ମାସ ୨୯ ତାରିଖ ପର୍ୟ୍ୟନ୍ତ ଅଫିସ ନ ଆସିବା ପାଇଁ କୁହାଯାଇଛି ।