କରୋନାର ନୂଆ ଷ୍ଟ୍ରେନ: ଗଞ୍ଜାମରେ କରୋନା ସଚେତନତା ରଥ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ସାରା ବିଶ୍ୱରେ ଚିନ୍ତା ବଢିଛି। ଓଡ଼ିଶାରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ସତର୍କ ହେବା ସହ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ସଂକ୍ରମଣ ନ ବଢାଇବାକୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ଆରମ୍ଭ ହୋଇଛି କରୋନା ସଚେତନତା ରଥ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରଥର ଉଦ୍‌ଘାଟନ କରିଛନ୍ତି। ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ଏହି ରଥ। ୨୯ ତାରିଖ ଯାଏଁ ଦୁଇଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ସେଥିରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ। ବିନା ଅନୁମତିରେ ସରକାରୀ କର୍ମଚାରୀ ହେଡକ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। କୌଣସି ସ୍ଥାନରେ ଯେପରି ଭିଡ଼ ନହୁଏ ତା ଉପରେ ମଧ୍ୟ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡ଼କୁ ୨ ଜଣ, ନବରଙ୍ଗପୁରକୁ ୨ ଜଣ ଆସିଛନ୍ତି। ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି। ସବୁ ବ୍ରିଟେନ ଫେରନ୍ତା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଆରଟି-ପିସିଆର ଟେଷ୍ଟ ହେବ ବୋଲି ସରକାର କହିଛନ୍ତି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି ଯାହା ଅଧିକ ବେଗରେ ସଂକ୍ରମଣ ବୃଦ୍ଧି କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।