ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ,୯ ନୂଆ ମୁହଁ

କଟକ,ଏନ୍‌ଏନ୍‌ଏସ୍ : ଆସନ୍ତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ସୟଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗୁରୁବାର ୨୦ ଜଣିଆ ଓଡ଼ିଶା ଦଳର ଘୋଷଣା କରିଛି । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ୱରେ ଗଠିତ ଏହି ଦଳରେ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ପ୍ରତୀକ ଦାସ, ଶାନ୍ତନୁ ମିଶ୍ର, ଅଙ୍କିତ ଯାଦବ, ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହିରା, ୱାଲଟର ଟପ୍ପୋ, ରାଜେଶ ଧୂପର (ଓ୍ଵିକେଟ କିପର), ପ୍ରବୀଣ ଲୋହା (ଓ୍ଵିକେଟ କିପର), ସୂର୍ଯ୍ୟକାନ୍ତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ତାରଣୀ ଶ, ପପ୍ପୁ ରାୟ, ଅଙ୍କିତକର ଜୟସ୍ୱାଲ, ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ ଓ ଆଶିଷ ରାୟଙ୍କୁ ସ୍ଥାନ ମିଳିଛି ।

ଏହି ଦଳରେ ୯ଜଣ ନୂଆମୁହଁ ଦେଖିବାକୁ ମିଳିଛି । ନିକଟରେ ଶେଷ ହୋଇଥିବା ଆନ୍ତଃଜିଲ୍ଲା ଟି-୨୦ ଲିଗ୍‌ରେ ଉତ୍ତମ ପ୍ରଦର୍ଶନ ଆଧାରରେ ଆଶିଷ, ସନୀଲ, ଅଙ୍କିତ, ତାରିଣୀ, ପ୍ରବୀଣ, ୱାଲଟର, ସୁକେଶ, ଗୌରବ ଓ ଆଦିତ୍ୟ ଦଳରେ ସ୍ଥାନ ପାଇଛନ୍ତିି । ଏହି ୨୦ ଜଣିଆ ଦଳ ଆସନ୍ତା ୧ ତାରିଖରେ କୋଲକାତାରେ ପହଞ୍ଚିବ । ସେଠାରେ ୭ ତାରିଖ ପର୍ଯ୍ୟନ୍ତ ସମସ୍ତେ ହୋଟେଲ୍‌ରେ ରହିବେ । ଏହି ସମୟ ମଧ୍ୟରେ ଖେଳାଳିମାନଙ୍କର ତିନୋଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ସେଠାରେ ରହିବେ ଏବଂ ପରୀକ୍ଷାରେ ଯାହାର ପଜିଟିଭ୍ ବାହାରିବ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯିବ ବୋଲି ଜଣାପଡ଼ିଛି ।