ବିଦ୍ୟାଳୟ ଖେଳ ପଡ଼ିଆରେ ମକା ଚାଷ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ପରିସରରେ ରହିଥିବା ଖେଳ ପଡ଼ିଆରେ ମକା ଚାଷ କରାଯାଇଛି । ଏପରି ଦୃଶ୍ୟ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ବେହେଡ଼ା ପଞ୍ଚାୟତର ଧଅଡ଼ାମାଳ ଧୂଣ୍ଡୁବେଡ଼ା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ସୂଚନାଥାଉ କି, ବିଦ୍ୟାଳୟ ପରିସରରେ ୨ ବର୍ଷ ହେବ ଏପରି ଚାଷ କରାଯାଉଛି । ଫଳରେ ଛାତ୍ରଛାତ୍ରୀମାନେ ଖେଳ ପଡ଼ିଆରେ ଖେଳି ପାରୁନାହାନ୍ତି । ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ଏହି ମକା ଚାଷ ବିଦ୍ୟାଳୟର ସଭାପତି ରାମସାଇ ଗଣ୍ଡ ଚାଷ କରିଥିବା କହିଛନ୍ତି । ପରେ ସଭାପତିଙ୍କୁ ବିଦ୍ୟାଳୟର ଖେଳ ପଡ଼ିଆରେ ମକା ଚାଷ କରାଯିବା ବିଷୟରେ ପଚାରିବାରୁ ପ୍ରଧାନଶିକ୍ଷକଙ୍କୁ ୪ ହଜାର ଟଙ୍କା ଦେଇ ଚାଷ କରିଥିବା କହିଛନ୍ତି ।