ଗ୍ୟାସ ଗୋଦାମରୁ ଟଙ୍କା ଡକାୟତି ଅଭିଯୋଗରେ ୨ ନାବାଳକଙ୍କ ସହ ୩ ଅଭିଯୁକ୍ତ ଗିରଫ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଗ୍ୟାସ ଗୋଦାମରୁ ଟଙ୍କା ଡକାୟତି ଅଭିଯୋଗରେ ୨ ନାବାଳକଙ୍କ ସମେତ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ନୀଳକଣ୍ଠ ନଗରର ଅମିତ ସୁନା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ମାଝୀ ସାହିର ଜଗନ୍ନାଥ ମାଝୀ ଓ ରବୀନ୍ଦ୍ର ମାଝୀ । ଗତ ୪ ତାରିଖରେ ନବରଙ୍ଗପୁର ସହରର ସତ୍ୟମ ଇଣ୍ଡିଆନ ରୁରାଲ ସପ୍ଲାୟର ନାମକ ଏକ ଗ୍ୟାସ ଗୋଦାମ ଭିତରେ ପଶି ୩ଜଣ ଦୁର୍ବୁତ୍ତ ଧମକ ଦେଇ ୭୦ ହଜାର ଟଙ୍କା ଡକାୟତି କରୁଥିବା ନେଇ ଗ୍ୟାସ ଗୋଦାମ ମାଲିକ ଅମୂଲ୍ୟ କୁମାର ସାହୁ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅନୁପସ୍ଥିତିରେ ବାପା ରାମ ଚନ୍ଦ୍ର ସାହୁ ଓ ଅନ୍ୟ ଜଣେ କର୍ମଚାରୀ ଟଙ୍କା ଗଣିବା ସମୟରେ ହଠାତ ଗୋଟିଏ ବାଇକରେ ୨ଜଣ କଳା ଡ୍ରେସ ପିନ୍ଧା ଯୁବକ ଦୋକାନ ଭିତରେ ପଶି ଧମକ ଦେଇଥିବାବେଳେ ଅନ୍ୟଜଣେ ଯୁବକ ବାହାରେ ବାଇକରେ ଅପେକ୍ଷା କରିଥିଲେ । ଏତଲା ଆଧାରରେ ପୁଲିସ ତଦନ୍ତ କରି ୩ଜଣଙ୍କ ସମ୍ପର୍କରେ ଜାଣି ପାରିଥିଲେ ।

ପୁଲିସ ସୂଚନା ଅନୁସାରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ସୁନାଙ୍କୁ ଟଙ୍କାର ଆବଶ୍ୟକତା ଥିଲା । ଅମିତଙ୍କ ଭଉଣୀ ଏହି ଗ୍ୟାସ ଗୋଦାମରେ କାମ କରୁଥିବାରୁ ସେ ଟଙ୍କା କାରବାର ବିଷୟରେ ଭଲ ଭାବେ ଅବଗତ ଥିଲା । ଗ୍ରାହକଙ୍କଠାରୁ ଟଙ୍କା ସବୁ ଗ୍ରହଣ କରାଯାଇ ତାକୁ ମଧ୍ୟାହ୍ନ ଭୋଜନ ସମୟରେ ମାଲିକ ଘରକୁ ନିଅନ୍ତି ବୋଲି ଜାଣିଥିଲା । ତେବେ ଘଟଣା ଦିନ ଗୋଦାମ ମାଲିକ ଅମୂଲ୍ୟ ସାହୁଙ୍କ ଅନୁପସ୍ଥିତିରେ ତାଙ୍କ ବାପା ରାମଚନ୍ଦ୍ର ସାହୁ ଓ ଅନ୍ୟଜଣେ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ଏହି ସମୟରେ ଅମିତ ସୁନା ତାଙ୍କ ଅନ୍ୟ ୨ ସହଯୋଗୀ ଜଗନ୍ନାଥ ମାଝୀ ଓ ରବୀନ୍ଦ୍ର ଯାନୀଙ୍କ ସହିତ ଗୋଦାମ ଭିତରେ ପଶି ଧମକ ଦେଇ ଟଙ୍କା ଲୁଟ କରିଥିଲେ । ଅଭିଯୁକ୍ତଙ୍କଠାରୁ ୫୫ ହଜାର ଟଙ୍କା, ଗୋଟିଏ ହିରୋ ସ୍ପେଣ୍ଡର ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି । ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।