ବଲାଙ୍ଗିର,ଏନ୍ଏନ୍ଏସ୍: ଗତ ୧୧ ତାରିଖରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ ସାନରପଦା ଗ୍ରାମରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ ଦେହ ଘର ଭିତରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଆଜି ବଲାଙ୍ଗିର ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବାବୁଲାଲ ଜୈନ, ଛାୟା ଗୋଣ୍ଡ, ବଳଦେବ ଗୋଣ୍ଡ, ମନିଷ ଗୋଣ୍ଡ, ଭୋଳା ଜୈନ, ଶିବ ଜୈନ ଓ ବିକଳ କୈରି ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ ଓ ତା ପୁଅ ବଳଦେବ ମାଝୀ ଫେରାର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଗତ ୧୧ ତାରିଖ ଦିନ ସାନରପଦା ଗ୍ରାମର ଏକ ଘରୁ ୬ ଜଣଙ୍କ ମୃତ ଦେହ କମ୍ବଳ ଭିତରୁ ଉଦ୍ଧାର ହୋଇଥିଲା। ବୁଲୁ ଜୈନ(୫୦), ତା ସ୍ତ୍ରୀ ଜ୍ୟୋତି(୪୮), ଦୁଇ ଝିଅ ସରିତା(୧୨) ଓ ଶ୍ରେୟା (୩) ଏବଂ ୨ ପୁଅ ଭିଷ୍ମା(୫) ଓ ସଞ୍ଜିବ(୨)ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସକାଳୁ ତାଙ୍କ ପରିବାରର କେହି ପଦାକୁ ନ ଆସିବା ଲକ୍ଷ କରି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଭିତରକୁ ଯାଇଥିଲା। ସେଠାରେ ସମସ୍ତଙ୍କ ମୃତ ଦେହ କମ୍ବଳରେ ଘୋଡା ହୋଇଥିବା ଦେଖିବାକୁ ପାଇଥିଲା। ସେହିପରି ସେଠାରୁ ଏକ ଟାଙ୍ଗିଆ ମଧ୍ୟ ଜବତ କରିଥିଲା। ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗିର ଏସପି ଏମ୍ ସନ୍ଦିପ ସମ୍ପତଙ୍କ ନେତୃତ୍ୱରେ ଏହି ହତ୍ୟାକାଣ୍ଡର ତଦନ୍ତ ହୋଇଥିଲା।
ତଦନ୍ତ ରିପୋର୍ଟ ଅନୁସାରେ ବୁଲୁ ଜୈନ, ଗଙ୍ଗୁଆ ମାଝୀ ଓ ବଳଦେବ ଗୋଣ୍ଡଙ୍କ ମଧ୍ୟରେ ପୂର୍ବରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ଥିଲା। ସେମାନେ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ବୋଲି ଏସପି ସୂଚନା ଦେଇଛନ୍ତି।