କେସିଙ୍ଗାରେ ଅଲ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡେରେସନ ତରଫରୁ ସମ୍ବିଧାନ ଦିବସ  

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୩ ତେନ୍ତୁଲିପଡ଼ା ପଡ଼ିଆରେ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡେରେସନ କେସିଙ୍ଗା ଶାଖା ତରଫରୁ ୭୪ତମ ସମ୍ବିଧାନ ଦିବସ  ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଧନଞ୍ଜୟ ଦୀପ, ଏଓଏସସିଏଫ୍ ଜିଲ୍ଲା ସଭାପତି, ଲବଣୀଧର ମହାନନ୍ଦ, ଭାରତ ସଂଚାର ନିଗମ ଲିମିଟେଡ ସଦସ୍ୟ ପ୍ରମୋଦ ତାଣ୍ଡି, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଟାଉନ ପ୍ଲାନିଂ ଅଧିକାରୀ ପ୍ରଦୀପ କୁମାର ହରପଲ, କେନ୍ଦ୍ର ଜିଏସଟି ଅଧିକାରୀ ବିଜୟରାଜ ଶିଖା, ଭାଗିରଥି ନାୟକ, ଶୋଭା କର ଶିଖା, ମୁଖ୍ୟବକ୍ତା ଭାବେ ପ୍ରଦୀପ ହରିପାଲ ଓ ଅନ୍ୟତମ ବକ୍ତାଭାବେ ଛବି ଲାଲ ନିହାଲ ଓ ଯତୀନ୍ଦ୍ର କର ଉପସ୍ଥିତ ଥିଲେ । ଭାରତୀୟ ସମ୍ବିଧାନରେ ରହିଥିବା ସମାନତା, ସ୍ୱତନ୍ତ୍ରତା, ବନ୍ଧୁତା, ନ୍ୟାୟ, ମାନବିକ ଅଧିକାର ଓ କର୍ତ୍ତବ୍ୟକୁ ନେଇ ସବୁ ସମାଜର ମହିଳା ଓ ପୁରୁଷଙ୍କ ଉପରେ ସର୍ବବୃହତ ସମ୍ବିଧାନ ଭାବରେ ପରିଗଣିତ ହୋଇପାରିଛି ବୋଲି ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ ସେଡ୍ୟୁଲକାଷ୍ଟ ଫେଡେରେସନ କର୍ମକର୍ତ୍ତା ଓ ସଦସ୍ୟଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁନି କୁନି ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ ଉପରେ ବକୃତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରେସନ କେସିଙ୍ଗା ଶାଖା ସଭାପତି ବିଷ୍ଣୁମଙ୍ଗରାଜ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସମ୍ପାଦକ ଜୟ ପ୍ରକାଶ ଜାଲ ଓ ଶିକ୍ଷାବିତ ଗିରିଜା ବେହେରା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆମ୍ବେଦକର ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା ।