ପିପିଲି ଉପନିର୍ବାଚନ : କଂଗ୍ରେସର ପ୍ରାର୍ଥୀ ଖୋଜା ଅଭିଯାନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ସେଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ଭବନରେ ଏକ ବୈଠକ ବସିଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେଇ ପିପିଲରେ ଦଳୀୟ ରଣନୀତି ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକ ପରେ ପିସିସି ସଭାପତି କହିଛନ୍ତି ଯେ ପିପିଲିରେ ବ୍ଲକ, ଏନଏସି ଓ ପଞ୍ଚାୟତ ସ୍ତରରେ ଆସନ୍ତା ୮ରୁ ୧୦ ଦିନ ଭିତରେ ଏହି କମିଟି ଗଠନ କରାଯିବ। ଏହା ପରେ ପିସିସି ପକ୍ଷରୁ ଏକ କମିଟି ଗଠନ ହେବା ସହ ପ୍ରାର୍ଥୀ ଚୟନ ନେଇ ପ୍ରସ୍ତୁତି ଆରମ୍ଭ କରାଯିବ। ପିପିଲିରେ ଆମକୁ ନିଶ୍ଚିତ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ବୈଠକ ସମ୍ପର୍କରେ କହିଛନ୍ତି ଯେ ପ୍ରାର୍ଥୀ ଚୟନ ପାଇଁ ପ୍ରଥମେ ପିସିସି ପକ୍ଷରୁ କମିଟି ଗଠନ ହେବ। ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଶିବାନନ୍ଦ ରାୟ ଓ ବିପିନ ଦାଶ ପ୍ରମୁଖ ଆଠ ଜଣଙ୍କୁ କମିଟି ସଦସ୍ୟ ରଖାଯିବ। ଏହି କମିଟି ପ୍ରାର୍ଥୀ ତାଲିକା ପିସିସି ସଭାପତିଙ୍କୁ ପ୍ରଦାନ କରିବା ପରେପ୍ରାର୍ଥୀ ଚୟନ ଚୂଡ଼ାନ୍ତତ ହେବ।