ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର-ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ୩ନମ୍ବର ଲଞ୍ଚପ୍ୟାଡର ଲଞ୍ଚର କମ୍ପେ୍ଲକସରେ ରବିବାର ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର-ସାମ’ର ସଫଳ ଉତକ୍ଷେପଣ କରାଯାଇଛି। ୩୦କିମି ଦୂରତାରେ ଲକ୍ଷ ଭେଦ କରୁଥିବା ଏହି କ୍ଷେପଣାସ୍ତ୍ରକୁ ଶୁକ୍ରବାର ଅପରାହ୍ଣରେ ସଫଳତାର ସହ ପରୀକ୍ଷଣ କରାଯାଇଛି। କ୍ୟୁଆର ସାମ (କୁଇକ ରେସପନସ ସରଫେସ ଟୁ ଏୟାର ମିଜାଇଲ)କୁ ଭୁପୃଷ୍ଠରୁ ଆକାଶ ମାର୍ଗକୁ ଉତକ୍ଷେପଣ କରାଯାଇଥିଲା। ଖଞ୍ଜଯାଇଥିବା ରାଡାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୩୦କିମି ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରିବ। ଏହାର ବେଗ ଶଦ୍ଦର ବେଗଠାରୁ ୪.୭ଗୁଣ ଅଧିକ। ‘କ୍ୟୁଆର-ସାମ’ ମିଜାଇଲ ମୋବାଇଲ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇ ଜରୁରୀ କାଳୀନ ସମୟରେ ଶତ୍ରୃପକ୍ଷର ଏୟାରକ୍ରାଫ୍ଟକୁ ଧ୍ୱଂସ କରାଯାଇ ପାରିବ।

 ସୂଚନା ଯୋଗ୍ୟ ଯେ, ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ସହିତ ଅନ୍ୟାନ ଭାରତୀୟ ପ୍ରତିରକ୍ଷା ସଂଗଠନର ମିଳିତ ଉଦ୍ୟମରେ ବିକାଶ କରାଯାଇଥିବା ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଥିବା ଯେ କୌଣସି ଟାର୍ଗେଟ ସହିତ ଟ୍ୟାଙ୍କ,ବଙ୍କର ଏବଂ ଶତ୍ରୁପକ୍ଷର ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଦ୍ରୁତ ଭାବେ ଗତି କରି ଧ୍ୱଂସ କରିବାରେ କ୍ଷମତା ରହିଛି। ଶତ୍ରୁପକ୍ଷର ରାଡାରର ଦୃଷ୍ଟି ଆଢୁଆଳରେ ରହି ଏହି କ୍ଷେପଣାସ୍ତ୍ର ଆକ୍ରମଣ କରିପାରେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।