ଜଳ ଯୋଗାଣ ଦାବିରେ ବିଭାଗୀୟ ଅଧିକାରୀଙ୍କୁ ଘେରିଲେ କଂଗ୍ରେସ ନେତା

ମାଲକାନଗିରି,ଏନ୍ଏନ୍ଏସ୍: ମାଲାକନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଆଶୀର୍ବାଦ କଲୋନୀରେ ପାନୀୟଜଳ ଯୋଗାଣ ଦାବିରେ ଆଜି ଜିଲ୍ଲା କଂଗ୍ରେସ କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ  ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ସ୍ଥାନୀୟ ବାସିନ୍ଦାମାନେ ଜଳଯୋଗାଣ ଦାବିନେଇ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ମାଲାକାନଗିରି ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଛନ୍ତି।

ପୂର୍ବରୁ ବାରମ୍ବାର ଆଶିର୍ବାଦ କଲୋନୀରେ ଜଳ ଯୋଗାଣ ନିମନ୍ତେ ସ୍ଥାନୀୟଲୋକେ ବିଭାଗୀୟ ଅଧିକାରୀଙ୍କୁ ଦାବି କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା।  ଏକମାସ ମଧ୍ୟରେ ପାନୀୟଜଳର ସୁବନ୍ଦୋବସ୍ତ କରିବା ପାଇଁ ପୌରପରିଷଦ ନିର୍ବାହୀ ଅଧିକାରୀ ତ୍ରିଶୁଳ ମାର୍ଡି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଜିଠାରୁ ଟ୍ୟାଙ୍କର ଯୋଗେ ପାନୀୟଜଳ ସାହି ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।