ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧୀମଣ୍ଡଳ

ନୂଆଦିଲ୍ଲୀ: ଲଖିମପୁର ଖୀରୀ ହିଂସା ମାମଲାରେ କଂଗ୍ରେସ ପ୍ରତିନିଧୀମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଉକ୍ତ ମାମଲାର ନିରପେକ୍ଷ ତଦନ୍ତ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ପିତା ଗୃହରାଜ୍ୟ ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ। ପୀଡ଼ିତ ପରିବାର କେବଳ ନ୍ୟାୟ ଚାହୁଁଛି। ସେମାନେ ସିଟିଙ୍ଗ ଜଜଙ୍କ ଦ୍ୱାରା ମାମଲାର ଯାଞ୍ଚ କରାଇବାକୁ ଚାହୁଁଛନ୍ତି। ରାଷ୍ଟ୍ରପତି ଆମକୁ ଆଶ୍ୱାସନା ଦେଇଛନ୍ତି କି ସେ ଆଜି ହିଁ ସରକାରଙ୍କ ସହ ଏହି ମାମଲାରେ ଆଲୋଚନା କରିବେ।

ଅନ୍ୟପଟେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଲଖିମପୁର ଖୀରୀ ପୀଡ଼ିତ ପରିବାର ଦାବି କରିଛି କି ଯିଏ ବି ତାଙ୍କ ପୁଅର ହତ୍ୟା କରିଛି ତାକୁ ଦଣ୍ଡ ମିଳୁ। ସେମାନେ ଆହୁରି କହିଛନ୍ତି କି ଯେଉଁ ବ୍ୟକ୍ତି ହତ୍ୟା କରିଛି ତା’ ପିତା ଦେଶର ଗୃହ ରାଜ୍ୟମନ୍ତ୍ରୀ। ଯେପର୍ଯ୍ୟନ୍ତ ସିଏ ତାଙ୍କ ପଦରେ ଅଛନ୍ତି ସେପର୍ଯ୍ୟନ୍ତ ନ୍ୟାୟ ମିଳିବନି। ଏକଥା ଆମେ ରାଷ୍ଟ୍ରପତିଙ୍କୁ କହିଛୁ।