ଲୋକାୟୁକ୍ତଙ୍କର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ନୈତିକ ବିଜୟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ମହାମାରୀ ସମୟରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ଓ ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟ ସରକାରଙ୍କର ସମ୍ପୃକ୍ତିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଲୋକାୟୁକ୍ତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ଏହି କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବା ଘଟଣା କଂଗ୍ରେସର ଏକ ନୈତିକ ବିଜୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆଇନ ଅଦାଲତରେ ଆମର ନୈତିକ ବିଜୟ ହୋଇଛି। ଏହି ଦୁର୍ନୀତି ପ୍ରସଙ୍ଗକୁ ଲୋକଙ୍କ ଅଦାଲତକୁ ନେବାକୁ କଂଗ୍ରେସ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛି। ଭିଜିଲାନ୍ସ ତଦନ୍ତର ନିରପେକ୍ଷତାକୁ ନେଇ ପୂର୍ବରୁ ବହୁ ପ୍ରଶ୍ନବାଚୀ ଥିଲେ ମଧ୍ୟ ଦୁର୍ନୀତିର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୃଢ଼ ଆଶାବାଦୀ। ଏହି ମାସ୍କ, ପିପିଇ କିଟ୍ ଓ କୋଭିଡ୍ ସାମଗ୍ରୀ କିଣାରେ ହୋଇଥିବା ଦୁର୍ନୀତିରେ ଜରୁରିକାଳୀନ କ୍ରୟକମିଟି, ମନ୍ତ୍ରୀସ୍ତରୀୟ କମିଟି ଓ ଏପରିକି କ୍ୟାବିନେଟ୍ କମିଟିର ଅନୁମୋଦନ ଥିବା ଘଟଣାକୁ ସରକାରୀ ଅଧିକାରୀ ଲୋକାୟୁକ୍ତଙ୍କ ଆଗରେ ପରିପ୍ରକାଶ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଥିବାରୁ ଭିଜିଲାନ୍ସ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଅତ୍ୟନ୍ତ ଜରୁରୀ ଅଟେ। ରାଜ୍ୟ ସରକାରଙ୍କ ଅସଲ ଚିତ୍ର ଓ ଚାଲ୍ର ପର୍ଦ୍ଦାଫାସ ତଦନ୍ତରୁ ସ୍ପଷ୍ଟ ଜଣାପଡ଼ିବ। ରାଜ୍ୟ ସରକାର ଓ ବିଜେଡି ଲୋକଙ୍କ ଟିକସରୁ ଆଦାୟ ଅର୍ଥକୁ ହରିଲୁଟ୍ କରିଥିବାର ମସୁଧାକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଆସନ୍ତା ଫେବୃଆରୀ ମାସ ମଧ୍ୟରେ ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସବିଶେଷ ତଦନ୍ତର ତଥ୍ୟ ପ୍ରଦାନ ପର୍ଯ୍ୟନ୍ତ, କଂଗ୍ରେସ ଓଡ଼ିଶାବାସୀଙ୍କ ନିକଟରେ ଉକ୍ତ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନାତ୍ମକ ପଦକ୍ଷେପ ଜାରି ରଖିବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ।