୭୨୪ କୋଟି ଟଙ୍କାର ୨ ମେଗା ପାନୀୟଜଳ ପ୍ରକଳ୍ପ ଅନୁମୋଦନ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ପାଇଁ ୭୨୪ କୋଟି ଟଙ୍କାର ୨ ଟି ମେଗା ପାନୀୟଜଳ ପ୍ରକଳ୍ପ ଅନୁମୋଦନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ବୈଠକ ପରେ ବରଗଡ଼ ଜିଲ୍ଲାପାଲଙ୍କ ସମ୍ମିଳନୀ କକ୍ଷରେ ଏ ନେଇ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୁଶାନ୍ତ ସିଂ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଉପସ୍ଥିତ ଥିଲେ। ଏଥିରେ ୫୦୮ କୋଟି ୭୫ ଲକ୍ଷ ଏବଂ ୨୧୫ କୋଟି ୩୧ ଲକ୍ଷ ଟଙ୍କାର ଦୁଇଟି ମେଗା ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲାର ୬ ଟି ବ୍ଲକ ଏବଂ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣ ଶୁଦ୍ଧ ପାନୀୟଜଳ ପାଇପାରିବେ ବୋଲି କୁହାଯାଇଛି। ୫୦୮ କୋଟିର ମେଗା ପ୍ରକଳ୍ପ ଦ୍ୱାରା ଅତାବିରା ବ୍ଲକର ୨୪ ଟି ପଞ୍ଚାୟତର ୭୩ ଟି ଗ୍ରାମ, ବରପାଲି ବ୍ଲକର ଗୋଟିଏ ପଞ୍ଚାୟତର ୩ ଟି ଗ୍ରାମ, ବିଜେପୁର ବ୍ଲକର ୨୩ ଟି ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୯ ଟି ଗ୍ରାମ , ଗାଇସିଲେଟ ବ୍ଲକର ୧୯ ଟି ପଞ୍ଚାୟତ ର ୧୦୨ ଟି ଗ୍ରାମ ଏବଂ ବରଗଡ଼ ବ୍ଲକର ୨୭ ଟି ପଞ୍ଚାୟତର ୬୨ ଗ୍ରାମର ଜନସାଧାରଣ ଉପକୃତ ହେବେ ।

ସେହିପରି ୨୧୫ କୋଟିର ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ବରପାଲି ବ୍ଲକ୍ ଅଧୀନରେ ଥିବା ୨୨ଟି ପଞ୍ଚାୟତର ୭୦ ଟି ଗ୍ରାମ ଏବଂ ଭେଡେନ ବ୍ଲକ ଅଧୀନରେ ଥିବା ୨୧ଟି ପଞ୍ଚାୟତର ୯୬ ଟି ଗ୍ରାମ ର ଜନସାଧାରଣ ଉପକୃତ ହେବେ । ଉଭୟ ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲାର ୬ ଟି ବ୍ଲକର ୫୧୫ ଗ୍ରାମର ୭,୩୭,୩୬୮ ଜଣଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ , ବିଜେପୁର ବିଧାୟିକା ରୀତା ସାହୁ , ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ବରଗଡ଼ ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।