କୁହୁଡ଼ି ବଳୟରେ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶା

ଜାଡ଼ରେ ଥରୁଛି ଅଧା ରାଜ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସାରା ଥଣ୍ଡାର ଲହରୀ ଜାରି ରହିଛି। ଦିନକୁ ଦିନ ଥଣ୍ଡା ବୃଦ୍ଧିପାଉଥିବାବେଳେ ବିଭିନ୍ନ ସ୍ଥାନରେ କୁହୁଡ଼ି ବଳୟ ନଜରକୁ ଆସୁଛି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ଯଥା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତସିଂହପୁର, ଅନୁଗୁଳ ପରି ଜିଲ୍ଲାରେ କୁହୁଡ଼ିର ଘନ ଆସ୍ତରଣ ନଜରକୁ ଆସିଛି। ଫଳରେ ଲୋକେ ଗମନାଗମନରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହା ଆହୁରି ୪ରୁ ୫ ଦିନ ଧରି ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।

ଅନ୍ୟପଟେ ଜାଡ଼ରେ ଅଧା ଓଡ଼ିଶା ଥରୁଛି। ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୨୮ ସ୍ଥାନରୁ ୧୮ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଥା ୧୫ ଡିଗ୍ରୀରୁ ତଳେ ରହିଛି। ବିଶେଷ କରି କହିବାକୁ ଗଲେ, ରାଜ୍ୟର ପଶ୍ଚିମ, ଦକ୍ଷିଣ ପଶ୍ଚିମ ଓ ଉତ୍ତର ପୂର୍ବ ଜିଲ୍ଲାର ବହୁ ସ୍ଥାନରେ ଥଣ୍ଡାର ପରିମାଣ ଅଧିକ ରହିଥିବା ମିଳିଥିବା ତଥ୍ୟରୁ ପ୍ରକାଶ ପାଇଛି। ତେବେ ବୁଧବାର ଫୁଲବାଣୀ ସର୍ବନିମ୍ନ ୯.୫ ଡିଗ୍ରୀ ତାପମାତ୍ରା ଥିବାବେଳେ ତାହା ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବା ବିଭାଗ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ସ୍ପଷ୍ଟ ହୋଇଛି।

ଏହାବ୍ୟତୀତ ବୁଧବାର ସୁନ୍ଦରଗଡ଼ ଓ ଦାରିଙ୍ଗିବାଡି ୧୧, ଭବାନିପାଟଣା ୧୧.୫, କୋରାପୁଟ୍ ୧୧.୬, ଝାରସୁଗୁଡ଼ା ୧୨.୬, ମାଲକାନାଗରି ୧୩, ଅନୁଗୁଳ ଓ କେନ୍ଦୁଝରଗଡ଼ରେ ତାପମାତ୍ରା ୧୩.୬, ଝାରସୁଗୁଡ଼ାରେ ୧୩.୭, ବାରିପଦା ଓ ତାଳଚେରରେ ୧୪, ବଲାଙ୍ଗୀର ୧୪.୩, ସମ୍ବଲପୁର ୧୪.୭, ବୌଦ୍ଧ ଓ ନୟାଗଡ଼ରେ ୧୫, ଟିଟଲାଗଡ଼ ୧୫.୫, ହିରାକୂଦ ୧୫.୭ ଓ କଟକରେ ତାପମାତ୍ରା ୧୫.୮ ଡିଗ୍ରୀ ରହିଛି। ଏହାଛଡ଼ା ଅନ୍ୟ ସହରଗୁଡ଼ିକରେ ତାପମାତ୍ରା ୧୬ ଡିଗ୍ରୀରୁ ଊଦ୍ଧ୍ୱର୍ରେ ରହିଥିବାବେଳେ ଭୁବନେଶ୍ୱରରେ ୧୭.୬ ଡିଗ୍ରୀ ରହିଥିବା ଜଣାପଡ଼ିଛି।