୧୬୪ କେଜି ଗଞ୍ଜେଇ ଜବତ, ୫ ଗିରଫ

ଫୁଲବାଣୀ,ଫିରିଙ୍ଗିଆ,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଯେତେ ଧରିଲେ ମଧ୍ୟ ବନ୍ଦ ହେଉନାହିଁ ଚୋରା ଗଞ୍ଜେଇ ଚାଲାଣ। ଆଜି ୨ଟି ଥାନା ଅଞ୍ଚଳରୁ ପୁଲିସ୍ ୧୬୪କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ଜଣଙ୍କୁ ଗିରଫ କରିଛି। ଏହାସହ ଏକ କାର ମଧ୍ୟ ପୁଲିସ ଜବତ କରିଛି। ସୂଚନା ଅନୁସାରେ,  ଭୁବନେଶ୍ୱରକୁ ଚାଲାଣ ହେଉଥିବା ଏକ କାରକୁ ଫିରିଙ୍ଗିଆ ଥାନା ପୁଲିସ ଅଟକାଇ ସେଥିରୁ ୬୪ କେଜି ଗଞ୍ଜେଇ ଜବତ କରିଥିବାବେଳେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଫୁଲବାଣୀ ସଦରଥାନା ଅଞ୍ଚଳର ସାନାଗୁଡା ଗ୍ରାମର ରାକେଶ ଦିଗାଲ(୨୪),ଦୀନେଶ କୁମାର ଦିଗାଲ (୨୨),ରବିଲା ଦିଗାଲ(୩୦) ଓ ଉଦୟଗିରି ଅଞ୍ଚଳର ଏଲିମ ହେବୁବ। ଏନେଇ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।
ସେହିଭଳି ବାଲିଗୁଡା ପୁଲିସ ଦ୍ୱାରା ଜଣେ ଗଞ୍ଜେଇ ମାଫିଆ ଗିରଫ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ବାଲିଗୁଡା ଥାନା ନାଡାପାଟାଙ୍ଗ ଠାରେ ଜଣେ ଗଞ୍ଜେଇ ମାଫିଆ ୧୦୦ କେଜି ଗଞ୍ଜେଇ ବସ୍ତାରେ ଭର୍ତ୍ତିକରି ଯାତ୍ରୀବାହି ବସକୁ ଅପେକ୍ଷା କରଥିଲେ। ଖବରପାଇ ପୁଲିସ ପହଞ୍ଚି ଗଞ୍ଜେଇ ସହ ତାକୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଜଣକ ବାଲିଗୁଡାର ଚିତ୍ରସେନ ନାୟକ ବୋଲି ଜଣାପଡ଼ିଛି।